ନୂଆ ସଂସଦ ଭବନ ଉଦଘାଟନକୁ ନେଇ ବିରୋଧୀଙ୍କ କଟାକ୍ଷ । ରାହୁଲ ଗାନ୍ଧୀ କହିଲେ ଉଦଘାଟନ ନାଁରେ ଚାଲିଛି ରାଜ୍ୟାଭିଷେକ । କଫିନ୍ ସହ ସଂସଦକୁ ତୁଳନା କରି ଟ୍ୱିଟ କଲା ଆରଜେଡି

159

କନକ ବ୍ୟୁରୋ: ଦେଶରେ ଏକ ବଡ଼ ଘଟଣା ଘଟିବ । ଆଉ ତାକୁ ନେଇ ରାଜନୀତି ନହେବ, ହୁଏତ ତାହା ସମ୍ଭବ ନୁହେଁ । ନୂଆ ସାଂସଦ ଭବନ ଉଦଘାଟନୀକୁ ନେଇ ତୀବ୍ର ହୋଇଛି ରାଜନୀତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ଉଦଘାଟନକୁ ରାଜ୍ୟାଭିଷେକ ସହ ତୁଳନା କରିଥିବା ବେଳେ ଆରଜେଡି ଏକ ବିବାଦୀୟ ବୟାନ କରିଛନ୍ତି । ଟୁଇଟ କରି ଆରଜେଡି କହିଛି- ନୂଆ ସଂସଦ ଭବନ କଫିନ୍ ଭଳି ଦେଖାଯାଉଛି । ଏପଟେ ବିରୋଧୀଙ୍କୁ ଆକ୍ରମଣର ଜବାବ ରଖିଛି ଭାରତୀୟ ଜନତା ପାର୍ଟି ।

  • ସଂସଦ ଭବନ ଉଦଘାଟନୀକୁ ନେଇ ରାଜନୀତି
  • ରାଜ୍ୟାଭିଷେକ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍

ଦେଶର ନୂଆ ସଂସଦ ଭବନକୁ ନେଇ ସାରା ଦେଶରେ ଉତ୍ସାହ ଥିବା ବେଳେ ଏହି ଉଦଘାଟନୀର ତରିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା । ରାହୁଲ ଗାନ୍ଧୀ, ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବା ସହ ଟୁଇଟ୍ କରି ଲେଖିଛନ୍ତି- ସଂସଦ ହେଉଛି ଲୋକଙ୍କ ସ୍ୱର । ପ୍ରଧାନମନ୍ତ୍ରୀ ସଂସଦଭବନ ଉଦ୍ଘାଟନକୁ ରାଜ୍ୟାଭିଷେକ ବୋଲି ଧରି ନେଇଛନ୍ତି । ସଂସଦ ଭବନ ଉଦଘାଟନୀକୁ ନେଇ ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ କଟାକ୍ଷ କରିଥିଲେ । ଟୁଇଟ୍ କରି ଲେଖିଥିଲେ-ସଂସଦ, ଅହଂକାର’ର ଇଟାରେ ନୁହେଁ ବରଂ ସାମ୍ବିଧାନିକ ମୁଲ୍ୟବୋଧରେ ନିର୍ମାଣ ହୋଇଥାଏ । କେବଳ କଂଗ୍ରେସ କାହିଁକି ଏକାଧିକ ବିରୋଧୀ ଦଳ ନୂଆ ସାଂସଦ ଭବନକୁ ନେଇ ମୋଦି ସରକାରଙ୍କୁ ଘେରିଛନ୍ତି । ଯାହା ଜବାବ୍ ରଖିଛି ଭାରତୀୟ ଜନତା ପାର୍ଟି ।

  • କଂଗ୍ରେସଠୁ ବଳିଗଲା ଆରଜେଡି
  • ସଂସଦକୁ ନେଇ ଆପତ୍ତିଜନକ ଟିପ୍ପଣୀ
  • ସଂସଦ ଭବନକୁ କଫିନ୍ ସହ ତୁଳନା !

ନୂଆ ସଂସଦ ଭବନ ଉଦଘାଟନ ହେବା ପରେ ପରେ ଲାଲୁ ପ୍ରସାଦ ଯାଦବଙ୍କ ଦଳ ଆରଜେଡି ପକ୍ଷରୁ ଏକ ଟୁଇଟ୍ କରାଯାଇଥିଲା । ଏହି ଟୁଇଟରେ ଆରଜେଡି, ନୂଆ ସଂସଦ ଭବନର ଡିଜାଇନକୁ କଫିନ୍ ସହ ତୁଳନା କରିଛି । ସଂସଦ ଭବନର ଫଟୋ ଏବଂ ଗୋଟିଏ କଫିନର ଚିତ୍ର ପୋଷ୍ଟ କରି ଏହା କ’ଣ ବୋଲି ପ୍ରଶ୍ନ କରାଯାଇଥିଲା । ଆରଜେଡିର ଟୁଇଟକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛି ବିଜେପି । ସୁଶୀଲ ମୋଦି କହିଛନ୍ତି- ସଂସଦ ଭବନକୁ କଫିନ୍ ସହ ତୁଳନା କରି ଆରଜେଡି ଭାରତୀୟ ଗଣତନ୍ତ୍ରକୁ ଅପମାନିତ କରିଛି । ପାଲଟା ଆକ୍ରମଣ କରି କହଛନ୍ତି- ସଂସଦ ଭବନ ଦେଶର, କଫିନ୍ ଆରଜେଡିର ।

ତେବେ ଗଣତନ୍ତ୍ରର ପ୍ରତୀକ କୁହାଯାଉଥିବା ସଂସଦ ଭବନକୁ ନେଇ ହେଉଥିବା ରାଜନୀତିର ଏହି ବୟାନବାଜି, ବିଶ୍ୱର ସର୍ବବୃହତ ଗଣତନ୍ତ୍ର ପାଇଁ ହୁଏତ ଶୁଭଙ୍କର ନୁହେଁ ।