କେମିତି ଭାଙ୍ଗିଲା ଯାଜପୁର ଜିଲ୍ଲା ରମାପୁର ଘାଇ ? ମାମୁଁ ଭଣଜା ଡିନାମାଇଟ୍ ଲଗାଇ ବନ୍ଧ ଭାଙ୍ଗିଦେଇଥିବା ଅଭିଯୋଗ । ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କୁ ଆଡକୁ ଅଙ୍ଗୁଳିି, ବିଧାୟକ କହିଲେ ପ୍ରମାଣ ଥିଲେ ସାମ୍ନାକୁ ଆଣ ।

612

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ଧର୍ମଶାଳାରେ ଘାଇକୁ ନେଇ ତେଜିଛି ରାଜନୀତି । ଅଭିଯୋଗ ହୋଇଛି ଯେ, ଘାଇକୁ ଡିନାମାଇଟରେ ବିସ୍ଫୋରଣ କରି ଭାଙ୍ଗି ଦିଆଯାଇଛି । ଆଉ ଏଥିପାଇଁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ବିବାଦ ଘେରକୁ ଟାଣିଛି ବିଜେପି । ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିବା ସହ ଡିନାମାଇଟ ଲଗାଇ ଘାଇ ଭାଙ୍ଗିବା ନେଇ ଯଦି କିଛି ପ୍ରମାଣ ଅଛି ତାହା ବିଜେପି ରଖୁ ବୋଲି କହିଛନ୍ତି ବିଧାୟକ ପ୍ରଣବ ବଳବନ୍ତରାୟ ।

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ରମାପୁର ନିକଟରେ ଥିବା ଇଏ ହେଉଛି ସେହି ଘାଇ ଯେଉଁ ଘାଇକୁ ଡିନାମାଇଟରେ ବିସ୍ଫୋରଣ କରି ଭାଙ୍ଗି ଦିଆଯାଇଥିବାର ଅଭିଯୋଗ ହୋଇଛି । ଯାହାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ରାଜନୀତି ।

୨୮ ତାରିଖ ରାତି, ସ୍ଥାନ-ରମାପୁର । ଲଘୁଚାପ ବର୍ଷା ଯେତେବେଳେ ପ୍ରବଳ ମାତ୍ରାରେ ହେଉଥିଲା, ସେତେବେଳେ ପାଣି ଦାଉରୁ କେମିତି ରକ୍ଷା ପାଇବେ ଲୋକେ ସେକଥା ଚିନ୍ତା କରୁଥିବା ବେଳେ ହଠାତ ଭାଙ୍ଗିଯାଇଥିଲା ଘାଇ । ଅଭିଯୋଗ ଅନୁସାରେ ଏହି ଘାଇକୁ ବ୍ୟକ୍ତିଗତ ସ୍ୱାର୍ଥସାଧନ ପାଇଁ କିଛି ଲୋକ ଡିନାମାଇଟ ଲଗାଇ ଭାଙ୍ଗି ଦେଇଛନ୍ତି । ଇଏ ହେଉଛି ଘାଇ ଭାଙ୍ଗିବାର ସେହି ପ୍ରତିକାତ୍ମକ ଚିତ୍ର । ଏହା ମନୁଷ୍ୟକୃତ ବୋଲି ବିଜେପି ଅଭିଯୋଗ କରିଛି । ଆଉ ଏଥିପାଇଁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ବିବାଦ ଘେରକୁ ଟାଣିଛି ବିଜେପି ।

ଏହି ଘାଇ ଭାଙ୍ଗିବା ଫଳରେ କ୍ଷତିଗ୍ରସ୍ତ ହୋଇଥିଲେ ୭ଟି ପଂଚାୟତର ପ୍ରାୟ ୭୦ହଜାର ଲୋକେ । ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଗ୍ରାମବାସୀଙ୍କୁ ୪କିଲୋମିଟର ବାଟ ବୁଲିବାକୁ ପଡୁଛି । ବଡ କଥା ହେଲା ଚାଷ ଜମି ନଷ୍ଟ ହେବା ସହିତ ଗମନାଗମନରେ ବଡ ଧରଣର ସମସ୍ୟା ସୃଷ୍ଟି ହୋଇଛି ।

ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ପ୍ରଣବ ବଳବନ୍ତ ରାୟ । ଡିନାମାଇଟ ଲଗାଇ ଘାଇ ଭାଙ୍ଗିବା ନେଇ ଯଦି କିଛି ପ୍ରମାଣ ଅଛି ତାହା ରଖିବାକୁ କହିଛନ୍ତି ବିଧାୟକ । ଚଳିତ ବନ୍ୟାରେ ଧର୍ମଶାଳା ବ୍ଲକ ଦେଇ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ଓ କେଲୁଅ ନଦୀରେ ପ୍ରବଳ ବନ୍ୟା ଆସିବା ଫଳରେ ବହୁ କ୍ଷୟକ୍ଷତି ହୋଇଛି । ଆଉ ତା ଉପରେ ଦାଉ ସାଧିଛି ଏହି ଘାଇ ।