ଗୋବିନ୍ଦ ସାହୁ ଆତ୍ମହତ୍ୟାକୁ ଯୋଜନାବଦ୍ଧ ହତ୍ୟା କହିଲା କଂଗ୍ରେସ । ନିରପେକ୍ଷ ତଦନ୍ତ ଦାବି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଢନ୍ତୁ, କଣ ଜବାବ ରଖିଲା ବିଜେଡି…

77

କନକ ବ୍ୟୁରୋ: ଗୋବିନ୍ଦ ସାହୁ ଆତ୍ମହତ୍ୟା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ଦାବି କରିଛି କଂଗ୍ରେସ । ଆଜି ଏନେଇ କଂଗ୍ରେସର ୫ଜଣିଆ ଦଳ ରାଜ୍ୟପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଗୋବିନ୍ଦ ସାହୁ ଆତ୍ମହତ୍ୟା କରି ନାହାଁନ୍ତି ବରଂ ତାଙ୍କୁ ମାରି ଦିଆଯାଇଛି । ସେଥିପାଇଁ ତାଙ୍କ ମୃତ୍ୟୁର ତଦନ୍ତ ହେବା ଉଚିତ୍ । କୋର୍ଟଙ୍କ ନିରୀକ୍ଷଣରେ ଏସଆଇଟି ଟିମ୍ ଗୋବିନ୍ଦ ସାହୁ ମୃତ୍ୟୁର ତଦନ୍ତ କରିବା ପାଇଁ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛି ଦଳ ।

ଅନ୍ୟପଟେ ବିରୋଧୀଙ୍କ ଦାବିକୁ ନେଇ ଜବାବ ରଖିଛି ବିଜେଡି । ବରିଷ୍ଠ ବିଜେଡି ନେତା ଅମର ଶତପଥୀ କହିଛନ୍ତି, ଅସ୍ତିତ୍ୱ ବଞ୍ଚାଇବାକୁ ପ୍ରହେଳିକା କରୁଛନ୍ତି ବିରୋଧୀ । ସିବିଆଇ ଓ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ସଂସ୍ଥା, ତେଣୁ ତାଙ୍କ କାର୍ଯ୍ୟ ପରିସର ଅନୁସାରେ ତଦନ୍ତ କରାଯିବ । ତାକୁ ନେଇ ବିବାଦ କରାଯିବା ଠିକ୍ ନୁହେଁ ବୋଲି ବିଜେଡି ବିଧାୟକ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି ଘଟଣାରେ ଆଜି କେନ୍ଦ୍ରମନ୍ତ୍ରୀ ପ୍ରତିକ୍ରିୟା ରଖିବା ସହିତ, ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାରା ରାଜ୍ୟରେ ଚହଳ ପକାଇଥିବା ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେତେବେଳେ ହାଜତ କିମ୍ବା ଜେଲରେ ମୃତ୍ୟୁ ହୁଏ, ସେତେବେଳେ ଅନେକ ପ୍ରଶ୍ନ ଉଠେ । ଏହା ଯୋଜନା ବଦ୍ଧ ମୃତ୍ୟୁ ନା ସଂଯୋଗ ତାହା ପରବର୍ତ୍ତୀ ଅନୁସନ୍ଧାନର ବିଷୟ । କିନ୍ତୁ ହାଜତ ମୃତ୍ୟୁ ଆଦୌ ଭଲ ଲକ୍ଷଣ ନୁହେଁ । ଗୃହ ବିଭାଗ, ଆଇନ ବିଭାଗ, ଯେଉଁମାନଙ୍କ ଅଧିନରେ ପୋଲିସ ବିଭାଗ ରହିଛି, ସେମାନେ ଏନେଇ ଉତ୍ତର ଦେବା ଉଚିତ୍ । ଗୋବିନ୍ଦ ସାହୁ ମୃତ୍ୟୁର ଅନୁସନ୍ଧାନ ନ୍ୟାୟ ସଙ୍ଗତ ହେବା ଉଚିତ୍ । ସେହିପରି ମମିତା ମେହେର ମାମଲାରେ ବି ଡିଏନଏ ରିପୋର୍ଟ ଅସାମଞ୍ଜସ୍ୟ ଆସିବା ଘଟଣାକୁ ଆହୁରି ରହସ୍ୟମୟ କରୁଛି । ରାଜ୍ୟ ସରକାର ଏହାର ନିରପେକ୍ଷ ତଦନ୍ତ କରନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।