ଅପରାଜିତାଙ୍କ ପୁରୀ ଗସ୍ତକୁ ନେଇ ଜୋର ଧରିଲା ରାଜନୈତିକ ବୟାନବାଜି । ନାଁ ନନେଇ ବିଜେଡି ନେତ୍ରୀ ପ୍ରମିଲା ମଲ୍ଲିକ କହିଲେ ‘ସୋ ବାଜି’ କରୁଛନ୍ତି ଅପରାଜିତା

100

କନକ ବ୍ୟୁରୋ: ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ବଢୁଥିବା ବେଳେ ବୁଧବାର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତ, ଏହି ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି । ପ୍ରଶାସନର ବାରଣ ସତ୍ତେ୍ୱ ସମର୍ଥକଙ୍କ ସହ ସାଂସଦଙ୍କ ପୁରୀ ଅଭିଯାନକୁ ନେଇ ତାଙ୍କୁ ଟାର୍ଗେଟ କରିଛି ବିଜେଡି । ନିଜ ଦଳରୁ ସମର୍ଥନ ମିଳୁନଥିବା ବେଳେ ଅପରାଜିତା କେବଳ ନିଜର ଆଡଭର୍ଟାଇଜ ପ୍ରଚାର କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଆକ୍ଷେପ କରିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ନୂଆ କରି ରାଜନୀତିକୁ ଆସିଥିବାରୁ ସୋ-ବାଜି କରିବାକୁ ସାଂସଦ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ପ୍ରମିଳା ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅପରାଜିତାଙ୍କ ଆଭିମୁଖ୍ୟକୁ ନେଇ ବିଜେଡି ତାଙ୍କୁ ଘେରୁଥିବା ବେଳେ ନିଜ ଦଳରୁ ମଧ୍ୟ ତାଙ୍କୁ ବିରୋଧର ସାମ୍ନା କରିବାକୁ ପଡିଛି । ବିଜେପି ମୁଖପାତ୍ର ସୋନାଲି ସାହୁ ଅପରାଜିତାଙ୍କ ନାଁ ନନେଇ ସାଂସଦଙ୍କୁ ତେରେଛା ବାଣ ମାରିଥିବା ଚର୍ଚ୍ଚା ହେଉଛି । ବିଜେପି ମୁଖପାତ୍ର ନିଜ ଟୁଇଟରେ ଲେଖିଛନ୍ତି, ମହାପ୍ରଭୁ ଜଗନ୍ନାଥ ପ୍ରତ୍ୟେକ ଓଡିଆଙ୍କ ହୃଦୟରେ ଅଛନ୍ତି ଓ ଏ କଥା କୌଣସି ଅଣଓଡିଆ ବୁଝେଇବା ଆଦୌ ଗ୍ରହଣଯୋଗ୍ୟ ନୁହେଁ । ରାଜ୍ୟବାସୀ ବିଭ୍ରାନ୍ତ ହେବା କଥା ନୁହେଁ, କାରଣ ବିଜେପି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସହ ଅଛନ୍ତି । ସୁସ୍ଥ ଓ ସମୃଦ୍ଧ ଓଡିଶା ଗଠନ ଲକ୍ଷ୍ୟକୁ କିଛି କୁଚକ୍ରି ବିରୋଧ କରୁଥିବା ନିଜ ଟୁଇଟରେ ଦର୍ଶାଇଛନ୍ତି ସୋନାଲି ।

ନିଜ ଦଳ ତଥା ବିରୋଧୀ ଶିବିରରୁ ଶରବ୍ୟର ଶୀକାର ହେବା ପରେ କିନ୍ତୁ ପୁରୀ ବିଜେପି ବିଧାୟକଙ୍କ ବିବୃତି ଅପରାଜିତାଙ୍କ ପାଇଁ ଆଣିଛି ଆଶ୍ୱସ୍ତି । ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଆଜି ଅପରାଜିତାଙ୍କ ସମର୍ଥନରେ ବାହାରିଛନ୍ତି । ବିକାଶକୁ କେହି ବିରୋଧ କରୁନାହାନ୍ତି କିନ୍ତୁ ନିୟମ ଅନୁସାରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ହେବା ଦରକାର ବୋଲି କହିଛନ୍ତି । ଏହାରି ଭିତରେ ପରିକ୍ରମା ପ୍ରକଳ୍ପକୁ ନେଇ ହାଇକୋର୍ଟରେ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣୀ ପାଇଁ ନୂଆ ତାରିଖ ଧାର୍ଯ୍ୟ ହୋଇଛି । ପୂର୍ବରୁ ମେ ୧୬ରେ ଶୁଣାଣି ହେବାକୁ ଥିବାବଳେ ଏବେ ମେ ୯ ତାରିଖରେ ଶୁଣାଣି ନିର୍ଦ୍ଧାରଣ କରିଥିବା ବେଳେ ଦୁଇ ଦିନ ଆଗରୁ ତଥ୍ୟ ଦାଖଲ ପାଇଁ ଏଏସଆଇକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।