ଦୁର୍ନୀତି ଦାନବକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ବୟାନ ଯୁଦ୍ଧ । କଂଗ୍ରେସ କହିଲା, ମୋଦି ଓ ନବୀନ ଲୋକଙ୍କୁ ବୁଦ୍ଧୁ ଭାବୁଛନ୍ତି

150

କନକ ବ୍ୟୁରୋ : ଦୁର୍ନୀତିର ଦାନବକୁ କିଏ ଦାନାପାଣି ଦେଉଛି? ଓଡିଶାରେ ରାଜ୍ୟସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଏଭଳି ଟାର୍ଗେଟ୍ ପରେ ତେଜିଛି ରାଜନୀତି । ଆଜି ବିଜେଡି କହିଛି, ପ୍ରଧାନମନ୍ତ୍ରୀ ଭୁଲ୍ ତଥ୍ୟ ପାଇଛନ୍ତି । ତେଣୁ ଓଡିଶାରେ ଦୁର୍ନୀତିର କଥା କହୁଛନ୍ତି । ନବୀନ, ଓଡିଶାରେ ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତି ନାହିାଁ ସେପଟେ କଂଗ୍ରେସ କହିଛି, ଉଭୟ ମୋଦି ଓ ନବୀନ, ଲୋକଙ୍କୁ ବୁଦ୍ଧୁ ଭାବୁଛନ୍ତି ।

ନିର୍ବାଚନୀ ବର୍ଷରେ ରାଜନୈତିକ ଉଷ୍ମତା ବଢାଇଲା, ରାଜ୍ୟ ସରକାରଙ୍କୁ ମୋଦିଙ୍କ ଭର୍ସନା । ବିଜେଡି କିମ୍ବା ନବୀନଙ୍କ ନାଁ ନନେଇ ଦୁର୍ନୀତିର ଦାନବକୁ କିଏ ଦାନାପାଣି ଦେଉଛି ବୋଲି ଖୋର୍ଦ୍ଧା ମାଟିରୁ ପ୍ରଶ୍ନ କରିଥିଲେ ପ୍ରଧାନମନ୍ତ୍ରୀ । କାଲିଯାଏଁ ପ୍ରଧାନମନ୍ତ୍ରୀଙ୍କ ଏହି ଭାଷଣକୁ ରାଜ୍ୟ ସରକାରଙ୍କ ପ୍ରତି ନରମ ଆଭିମୁଖ୍ୟ ବୋଲି ବିବେଚନା କରାଯାଉଥିଲା । କାରଣ ୩୪ ମିନିଟର ଭାଷଣରେ ଥରୁଟିଏ ବି ବିଜେଡି ସରକାରଙ୍କ ନାଁ ନେଇନଥିଲେ ମୋଦି । ହେଲେ ରାଜ୍ୟ ବିଜେପିର ନେତୃତ୍ୱ ନେଉଥିବା ମୋଦିଙ୍କ କ୍ୟାବିନେଟ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ବ୍ୟାଖ୍ୟା କରିଛନ୍ତି । ଚିଟ୍ଫଣ୍ଡ ଦୁର୍ନୀତି ସହ କେଉଁ ଦଳର ନେତା ସଂପୃକ୍ତ ଏବଂ ରାଜ୍ୟରେ ପିସି କିଏ ଖାଉଛି ବୋଲି ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଥିବାବେଳେ ଗୋଟିଗୋଟି କରି ଉତର ରଖିଛନ୍ତି ବିଜେଡି ସାଂସଦ ପ୍ରତାପ ଦେବ ।

ଦିନିକିଆ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଆସି ପ୍ରଧାନମନ୍ତ୍ରୀ ମୋଦି ଖୋର୍ଦ୍ଧ ବରୁଣେଇ ନିକଟ ଗୋଶାଳା ପଡିଆରେ ଜନସଭାକୁ ସମ୍ବୋଧିତ କରିଥିଲେ । କେନ୍ଦ୍ର ସରକାରଙ୍କ ବିକାଶ ଆଭିମୁଖ୍ୟ ସହ, ରାଜ୍ୟ ସରକାରଙ୍କ ବିଫଳତାର ତାଲିକା ରଖି ଜବାବ ଦେବାକୁ ଆହ୍ୱାନ କରିଥିଲେ । ହେଲେ ମୋଦିଙ୍କ କୋହଳ ଭାଷଣକୁ ନେଇ ପୁଣି ବିଜେଡି-ବିଜେପି କୋଳାକୋଳି ଅଭିଯୋଗ ବାଢିଛି କଂଗ୍ରେସ । ଆଉ ଭ୍ରଷ୍ଟାଚାରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଭାଷଣ ପ୍ରଭାବଶୂନ୍ୟ ବୋଲି କହିଛନ୍ତି ପ୍ରଦୀପ ମହାରଥୀ ।

ପୂର୍ବରୁ ତାଳଚେର ଓ ଝାରସୁଗୁଡାରେ ପ୍ରଧାନମନ୍ତ୍ରୀ ଯେଉଁ ପ୍ରଚଣ୍ଡ ରୁପ ଦେଖାଇଥିଲେ ଖୋର୍ଦ୍ଧ ସଭାମଂଚରେ ରାଜ୍ୟ ସରକାରଙ୍କ ବିରୋଧରେ ସେଭଳି ଦେଖିବାକୁ ମିଲିନଥିଲା । ପରୋକ୍ଷରେ ସରକାରଙ୍କ ବିଫଳତାର ତାଲିକା ଦେଇ କର୍ମୀମାନଙ୍କୁ ୨୦୧୯ରେ ପରିବର୍ତନ ପାଇଁ ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ ।