ବିଜେପିକୁ ବିଜେଡିର ଖୋଲା ଚ୍ୟାଲେଞ୍ଜ: ଓଡ଼ିଶାକୁ କେନ୍ଦ୍ରୀୟ ରେଳ ବଜେଟ୍ ନେଇ ବିତର୍କ କରିବାକୁ ଆହ୍ୱାନ କଲା ବିଜେଡି ।

81

କନକ ବ୍ୟୁରୋ: ଓଡ଼ିଶାକୁ କେନ୍ଦ୍ରର ରେଳ ବଜେଟ୍ ଅନୁଦାନକୁ ନେଇ ବଢ଼ିଲା ବିବାଦ । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା ବିଜେଡି । କହିଲା, ଚଳିତ କେନ୍ଦ୍ରୀୟ ରେଳ ବଜେଟ୍ ଓଡ଼ିଶାକୁ ନ୍ୟାୟ ଦେଇନି । ଆମେ ହିସାବ ଦେବୁ ଦମ୍ ଅଛି ତ ଏହା ଉପରେ ବିତର୍କ କର, ବିଜେପିକୁ ଏମିତି ଖୋଲା ଚ୍ୟାଲେଞ୍ଜ କରିଛି ବିଜେଡି । ରାଜ୍ୟ ବିଜେଡି ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରୀୟ ରେଳ ବଜେଟରେ ଓଡ଼ିଶାକୁ ଅନୁଦାନ ନେଇ କଡ଼ାଗଣ୍ଡା କରି ହିସାବ ଦେଲା ବିଜେଡି ।

ବିଜେଡି କହିଛି, ଏଥର କେନ୍ଦ୍ରୀୟ ରେଳ ବଜେଟରେ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ଦେଖାଇଛି କେନ୍ଦ୍ର । ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ ଏଯାଏଁ ୩୦ରୁ ୪୦ ପ୍ରତିଶତ କାର୍ଯ୍ୟ ହୋଇଛି । ସବୁଠୁ ମନ୍ଥର ଗତିରେ ଏହି ରେଳ ଲାଇନ୍ କାର୍ଯ୍ୟ ଚାଲିଛି । ଏହି କାର୍ଯ୍ୟ ଉପରେ କ’ଣ କେନ୍ଦ୍ରମନ୍ତ୍ରୀଙ୍କ ନଜର ପଡୁନି କି? କୋଇଲା କ୍ଷେତ୍ରରେ କେନ୍ଦ୍ର ସୁବିଧା ନେଉଛି ଆଉ ଓଡ଼ିଶା ଧୂଆଁ ଧୂଆଁ ସହୁଛି ।

ଏପରିକି ପ୍ରତିବର୍ଷ ରେଳବାଇ କ୍ଷେତ୍ରରେ କେନ୍ଦ୍ରକୁ ଓଡ଼ିଶା ୨୦ ହଜାର କୋଟି ଟଙ୍କା ଦେଉଛି । କିନ୍ତୁ ଦୁଃଖର ବିଷୟ ଏଯାଏଁ ୬ଟି ଜିଲ୍ଲାରେ ରେଳ ଲାଇନ୍ ସଂଯୋଗ ହୋଇନି । ଏପରି କେଉଁ ଭାବରେ ଓଡ଼ିଶାକୁ ନ୍ୟାୟ ଦେଉଛି ବୋଲି ବିଜେପି ଓ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଛି ବିଜେଡି । ଏପରିକି କଡ଼ା ସମାଲୋଚନା କରି ବିଜେଡି କହିଛି କି, ଓଡ଼ିଶାରୁ ନେବୁ କୋଇଲା, ଓଡ଼ିଶାରୁ ନେବୁ ବକ୍ସାଇଟ୍ କିନ୍ତୁ ଦେଲାବେଳକୁ ହାତଖାଲି ।