ନୂଆ ସଂସଦ ଭବନ ଉଦଘାଟନ : ବିରୋଧୀଙ୍କ ବିରୋଧ ବେଳେ ମୋଦୀଙ୍କୁ ମିଳିଲା ନବୀନ, ଜଗନଙ୍କ ସାଥ; ସମାରୋହରେ ସାମିଲ ହେବେ ବିଜେଡି ଏବଂ ୱାଇଏସଆର କଂଗ୍ରେସ

318

କନକ ବ୍ୟୁରୋ : ନୂଆ ସଂସଦ ଭବନ ଉଦଘାଟନକୁ ନେଇ ରାଜନୀତି ସରଗରମ ହୋଇଛି । ସମାରୋହକୁ ରାଷ୍ଟ୍ରପତିଙ୍କୁ ଡକା ଯାଇନଥିବାରୁ କଂଗ୍ରେସ ସମେତ ୧୯ ବିରୋଧ ଦଳ ଉଦଘାଟନକୁ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି । ଏହି ସମୟରେ ଏନଡିଏକୁ ମିଳିଛି ନବୀନ ପଟ୍ଟନାୟକ ଓ ଜଗନ ରେଡ୍ଡୀଙ୍କ ସମର୍ଥନ । ଉଦଘାଟନ ସମାରୋହରେ ବିଜେଡି ଓ ଜଗନଙ୍କ ୱାଇଏସଆର କଂଗ୍ରେସ ସାମିଲ ହେବ ବୋଲି ଘୋଷଣା କରିଛନ୍ତି ।

ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ଏକ ପ୍ରେସ ରିଲିଜ ଜାରି କରି କହିଛନ୍ତି ଯେ, ଭାରତର ରାଷ୍ଟ୍ରମୁଖ୍ୟ ହେଉଛନ୍ତି ରାଷ୍ଟପତି । ଆଉ ପାର୍ଲାମେଂଟର ଦେଶ ୧୪୦ କୋଟି ଲୋକଙ୍କୁ ପ୍ରତିନିଧିତ୍ୱ କରୁଛି । ଉଭୟ ଅନୁଷ୍ଠାନ ଭାରତୀୟ ଗଣତନ୍ତ୍ରର ପ୍ରତୀକ । ଏମାନଙ୍କ ସମ୍ମାନ ଓ ଗାରିମା ସବୁଦିନ ସୁରକ୍ଷିତ ରହିବା ଦରକାର । ଏଗୁଡିକୁ କୌଣସି ପ୍ରକାରେ ମତଭେଦରୁ ଦୂରରେ ରଖାଯିବା ଆବଶ୍ୟକ । ଏହି ସବୁ ପ୍ରସଙ୍ଗରେ ପରବର୍ତ୍ତୀ ସମୟରେ ପବିତ୍ର ଗୃହରେ ଆଲୋଚନା କରାଯାଇପାରିବ ।

ସେହିଭଳି ଜଗନ ରେଡ୍ଡୀ ଏକ ଟୁଇଟି କରି କହିଛନ୍ତି, ସଂସଦ ଆମ ଗଣତନ୍ତ୍ରର ମନ୍ଦିର । ଏହା ଦେଶବାସୀଙ୍କ ଓ ସବୁ ଦଳର । ଏହାକୁ ବର୍ଜନ କରିବା ପ୍ରକୃତ ଗଣତନ୍ତ୍ରର ପରିଚାୟକ ନୁହେଁ । ମତଭେଦକୁ ଦୂର କରି ସବୁଦଳ ଏଥିରେ ଯୋଗ ଦେବା ଦରକାର । ନୂଆ ସଂସଦ ଭବନର ଉଦଘାଟନକୁ ତିନି ଦିନ ବାକି ଥିବା ବେଳେ ଏହାକୁ ନେଇ ରାଜନୀତି ଥମିବାର ନାଁ ନେଉନାହିଁ ।

ରାଷ୍ଟ୍ରପତିଙ୍କୁ ଡକାଯାଇନଥିବାରୁ କଂଗ୍ରେସ ସମେତ ମୋଟ ୧୯ ବିରୋଧୀ ଦଳ ଉତ୍ସବକୁ ବହିଷ୍କାର କରିବାକୁ ଘୋଷଣା କରିଛନ୍ତି । ସମସ୍ତ ବିରୋଧୀ ଦଳ ପକ୍ଷରୁ ମିଳିତ ବିବୃତି ଜାରି କରାଯାଇଛି । ବିରୋଧୀ ଦାବି କରିଛନ୍ତି, ପ୍ରଧାନମନ୍ତ୍ରୀ ନୁହେଁ ରାଷ୍ଟ୍ରପତି ନୂଆ ସଂସଦ ଭବନର ଉଦଘାଟନ କରନ୍ତୁ, ଯାହାକୁ ନେଇ ରାଜନୀତି ତେଜିଛି । ଆଉ ନବୀନ ଓ ଜଗନଙ୍କ ସମର୍ଥନ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।