ଅପରେସନ୍ ବ୍ଲାକଆଉଟ୍ ପରେ ତେଜିଲା ରାଜନୀତି । ବିଦ୍ୟୁତ୍ କାଟ୍ ଦୁର୍ନୀତି ପଛରେ ବଡ଼ ଅଫିସର ଥିବା ଅଭିଯୋଗ ଆଣିଲେ, ସିବିଆଇ ତଦନ୍ତ ଦାବି କଲେ ବିରୋଧୀ ଦଳ ନେତା ।

522

କନକ ବ୍ୟୁରୋ: କନକ ନ୍ୟୁଜର ଅପରେସନ୍ ବ୍ଲାକଆଉଟ୍ ପରେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ହଟଚମଟ । ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ କାଟ୍ ନେଇ ହେଉଥିବା ଦୁର୍ନୀତିର ପର୍ଦ୍ଦାଫାସ ପରେ ବିରୋଧୀଦଳ ନେତାଙ୍କ ବଡ଼ ବୟାନ । ଏଭଳି ଦୁର୍ନୀତି ପଛରେ ଏକ ବଡ଼ ମୁଣ୍ଡ ରହିଥିବା ଅଭିଯୋଗ କରିଛନ୍ତି ପ୍ରଦୀପ୍ତ ନାୟକ ।

ଏପରିକି ବିଦ୍ୟୁତ୍ ବିଭାଗର କିଛି ଲାଞ୍ଚୁଆ ଅଫିସରଙ୍କ ପାଇଁ ସାଧାରଣ ଲୋକମାନେ ଅନ୍ଧାରରେ ରହୁଛନ୍ତି । ଆଉ ଲୋକଙ୍କୁ ଭୂଆଁ ବୁଲାଇ ନିଜ ପକେଟ୍ ଗରମ କରୁଛନ୍ତି ସରକାରୀ ବାବୁ । ତେଣୁ କନକ ନ୍ୟୁଜର ଏହି ଅପରେସନ ବ୍ଲାକଆଉଟ୍ ପରେ ମୁଖା ଖୋଲିଥିବା ସରକାରୀ ବାବୁ ମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଦାବି କରିବା ସହ ଏହି ଘଟଣା ପଛରେ ଯେଉଁ ବଡ଼ ବଡ଼ ବାବୁଙ୍କ ହାତ ରହିଛି ତାହାର ଖୋଳତାଡ଼ ହେବା ଦରକାର । ତେଣୁ ଏହାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

ତେବେ ଗତକାଲି କନକ ନ୍ୟୁଜରେ ଅପରେସନ୍ ବ୍ଲାକଆଉଟ୍ ପରେ ପଇସା ନେଇ ବିଦ୍ୟୁତ୍ କାଟ୍ ଡିଲ୍ କରୁଥିବା ୬ ସରକାରୀ ବାବୁଙ୍କୁ ନିଲମ୍ବିତ କରାଯାଇଛି । ଏବଂ ସେମାନଙ୍କ ବିରୋଧରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ କରିବାକୁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ହେଲେ କେବଳ ଏହି ଛୋଟ ମୁଣ୍ଡ କାହିଁକି ବଡ଼ ବଡ଼ିଆଙ୍କ ହାତ ଏହି ଦୁର୍ନୀତି ପଛରେ ରହିଥିବା ଅଭିଯୋଗ କରୁଛନ୍ତି ବିରୋଧୀ ।