ଆଗରେ ଆନ୍ଦୋଳନ ପଛରେ ନେତାଙ୍କ ମଦପିଆ ! ଦିନ ଦ୍ୱିପ୍ରହରରେ ସରକାରୀ ଦଫତରରେ ଚାଲିଥିଲା ମଦର ଆସର ।

44

କନକ ବ୍ୟୁରୋ : ଅଭିନୟ କରିବା ପାଇଁ ମଦ ପିଇଲେ ନେତା । ତାହା ପୁଣି କୌଣସି ମଂଚରେ ନୁହେଁ । ଆନ୍ଦୋଳନ ବେଳେ ଅଭିନୟ କରି ପ୍ରଚାର ପ୍ରସାର କରିବା ପାଇଁ ମଦ ପିଉଥିଲେ ନେତା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏକଥା ଆମେ କହୁନାହୁଁ, ବରଂ ବଲାଙ୍ଗୀର ପାଟଣାଗଡରେ ଜଣେ ପଂଚାୟତ ସମିତି ସଭ୍ୟ କିଛି ଏଭଳି କହୁଛନ୍ତି । ପାଟଣାଗଡ ପଂଚାୟତ ସମିତି ସଦସ୍ୟ ସୁରେଶ ପଣ୍ଡା ପାଟଣାଗଡ ବ୍ଳକ କାର୍ଯ୍ୟାଳୟ ସାମ୍ନାରେ ମଦ ପିଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ପାଟଣାଗଡ ବ୍ଳକ କାର୍ଯ୍ୟାଳୟରେ ପ୍ରତିବାଦ ସଭା କରୁଥିବା ବେଳେ ପଛ ପଟେ ଚାଲିଥିଲା ମଦର ଆସର । ଆଉ ଏହି ଦୃଶ୍ୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏବେ ପଂଚାୟତ ସମିତି ସଭ୍ୟ କହୁଛନ୍ତି ସେ ଅଭିନୟ କରିବା ଉଦ୍ଦେଶ୍ୟରେ ମଦ ପିଉଥିଲେ ।

ପାଟଣାଗଡର ପଂଚାୟତ ସମିତି ସଭ୍ୟ କହୁଛନ୍ତି ସେ କଂସ ଅଭିନୟ କରନ୍ତି ଓ ସେଥିପାଇଁ ମଦ ପିଉଥିଲେ । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଯେତେବେଳେ ପାଟଣାଗଡ ବ୍ଳକ ଅଫିସ ଘେରାଉ ଚାଲିଥିଲା କିଛି ନେତା ଓ କର୍ମୀ ଆନ୍ଦୋଳନ କରୁଥିଲେ । ଜନତାଙ୍କ ସ୍ୱାର୍ଥରକ୍ଷାର ନାରା ଦେଉଥିଲେ ସେତେବେଳେ ସୁରେଶ ପଣ୍ଡା, କିନ୍ତୁ ମଦର ଆସରରେ ମାତାଲ ଥିଲେ । ପାଟଣାଗଡ ବ୍ଳକ ଅଫିସ ନିକଟରେ ଆନ୍ଦୋଳନ ଚାଲିଥିଲା ଓ ସୁରେଶ ପଣ୍ଡା ନିଜର କିଛି କର୍ମୀଙ୍କ ସହ ପଛପଟେ ମଦର ଆସର ଜମାଉଥିଲେ । ଦିନ ଦ୍ୱିପ୍ରହରରେ ସରକାରୀ ଦଫତରରେ ଚାଲିଥିଲା ମଦର ଆସର । ଆଉ ଆଶ୍ଚର୍ଯ୍ୟ ଜନକ ଭାବେ ସୁରେଶ କହୁଛନ୍ତି ସେ କେବଳ ଅଭିନୟ କରୁଥିଲେ ।

ତାଙ୍କ ଆନ୍ଦୋଳନର ଦୃଶ୍ୟ ଗଣମାଧ୍ୟମ ପ୍ରସାରିତ କରୁ ନଥିବାରୁ ସେ ମଦ ପିଇ ପ୍ରଚାର ପ୍ରସାର କରିବାକୁ ଚାହୁଁଥିଲେ । ଏମିତିକି ଏହି ଖବର ପ୍ରସାରଣ ହେବା ପରେ ଗଣମାଧ୍ୟମ ଉପରେ ସବୁ ଦୋଷ ଲଦି ଦେଇଛନ୍ତି ଏହି ନେତା ଜଣକ । ସବୁଠାରୁ ବଡ କଥା ହେଲା ଆନ୍ଦୋଳନ ବେଳେ ମଦ ପିଇବା ଅଭିନୟ କି? କଂସର ଅଭିନୟ କରିବା ପାଇଁ କାହିଁକି ମଦ ପିଉଥିଲେ ନେତା? ସରକାରୀ ଅଫିସ ପରିସରରେ ମଦ ପିଇ ଭୁଲ କରି ନାହାଁନ୍ତି କି ସୁରେଶ? ନେତାଙ୍କ ଏଭଳି ଆଚରଣ ନିନ୍ଦନୀୟ ନୁହେଁ କି? ଜନତାଙ୍କ ସ୍ୱାର୍ଥ ଦାବି କରି ଅଫିସ ଆଗରେ ଧାରଣା ଦେବା ଓ ପଛପଟେ ମଦର ଆସର ଜମାଇବା ନେତାଙ୍କର ଏଭଳି ଆଚରଣ ଦୂର୍ଭାଗ୍ୟଜନକ ।