ରଜ ପାଳିଲେ ରାଜନେତା! ଦୋଳି ଖେଳିଲେ ମନ୍ତ୍ରୀ ଓ ବିଧାୟକ, ନିଆଳିରେ ରଜ ଉତ୍ସବରେ ରଜ ଗୀତ ଗାଇଲେ ଜଗତସିଂହପୁର ସାଂସଦ

278

କନକ ବ୍ୟୁରୋ : ରାଜନୀତିର ରଜ । ଓଡ଼ିଶାର ଗଣପର୍ବ ‘ରଜ’ ଅବସରରେ ବିଧାୟକ, ସାଂସଦ ଏବଂ ମନ୍ତ୍ରୀଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ଜଗତସିଂହପୁର ସାଂସଦ ମଞ୍ଚ ଉପରେ ‘ରଜ’ଗୀତ ବୋଳି ସମସ୍ତଙ୍କୁ ଚକିତ କରିଦେଇଥିବା ବେଳେ ବିଜେଡି ବିଧାୟକ ଅମର ଶତପଥୀଙ୍କୁ ଦୋଳିଝୁଳୁଥିବାର ଚିତ୍ର ସାମ୍ନାକୁ ଆସିଛି । ଆଉ ଏସବୁ ଭିତରେ ରଜ ମହୋତ୍ସବରେ ସାମିଲ ହୋଇଛନ୍ତି ଯୁବ ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ସାଂସଦଙ୍କ ମୁହଁରେ ‘ରଜ’ ଗୀତ । ମନ ମୋହିଲେ ରାଜଶ୍ରୀ ମଲ୍ଲିକ । ଅବସର ଥିଲା ନିଆଳୀ ରଜ ଉତ୍ସବ ପାଳନ । ଉତ୍ସବରେ ସାମିଲ ହୋଇଥିଲେ ନିଆଳି ବିଧାୟକ ପ୍ରମୋଦ ମଲ୍ଲିକ, ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ସମେତ ଜଗତସିଂପୁର ସାଂସଦ ରାଜଶ୍ରୀ ମଲ୍ଲିକ । ଆଉ ସଭାମଂଚରେ ଭାଷଣ ଦେବା ବେଳେ ମାହୋଲକୁ ସରଗରମ କରି ଦେଇଥିଲା ବିଜେଡି ସାଂସଦଙ୍କ ରଜ ଗୀତ ।

କେବଳ ରାଜଶ୍ରୀ ମଲ୍ଲିକ୍ ନୁହଁନ୍ତି, ଏହି ରଜମଉଜରେ ସାମିଲ ହୋଇଛନ୍ତି ବଡ଼ଚଣା ବିଧାୟକ ଅମର ଶତପଥୀ । ଛତିଆରେ ଆୟୋଜିତ ହୋଇଥିବା ରଜ ମହୋତ୍ସବରେ ବିଜେଡି ବିଧାୟକ ରଜ ଦୋଳିରେ ଝୁଲୁଥିବାର ଚିତ୍ର ସାମ୍ନାକୁ ଆସିଛି । ବିଧାୟକ ଏବଂ ସାଂସଦଙ୍କ ଭଳି ମନ୍ତ୍ରୀ ତୁଷାରକାନ୍ତ ବେହେରା ମଧ୍ୟ ଅସ୍ତରଙ୍ଗ ଦେଉଳମଠରେ ଆୟୋଜିତ ରଜ ମହୋତ୍ସବରେ ସାମିଲ ହୋଇଛନ୍ତି । ଯେଉଁଠି ସେ ବିଧାୟକ ଅମର ଶତପଥୀଙ୍କ ଭଳି ରଜ ଦୋଳି ଝୁଲି ରଜ ମହୋତ୍ସବ ପାଳନ କରିଛନ୍ତି ।

ଲୋକଙ୍କ ସହ ସିଧାସଳଖ ସଂପର୍କ ଯୋଡିବାରେ ଗଣପର୍ବ ‘ରଜ’ ଏକ ଅପୂର୍ବ ସୁଯୋଗ ଆଣି ଦେଇଥିବାରୁ ଏହି ମୌକାକୁ ହାତ ଛଡ଼ା କରିବାକୁ ଚାହିଁ ନାହାଁନ୍ତି ରାଜନେତା ।