ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆରମ୍ଭ ହେଲା ପାଗଭିଡା । ଆଗାମୀ ୨୦ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ସେପଟେ ଜନ ଆଶୀର୍ବାଦ ଯାତ୍ରାରେ ଯୋଗ ଦେବାକୁ ଆସୁଛନ୍ତି ୨ କେନ୍ଦ୍ରମନ୍ତ୍ରୀ ।

228

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜୋରଦାର ହେଉଛି ରାଜନୈତିକ କାର୍ଯ୍ୟକ୍ରମ । ଆରମ୍ଭ ହୋଇଯାଇଛି ଶକ୍ତି ପ୍ରଦର୍ଶନ । ଆଗାମୀ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲା ଗସ୍ତ କରି ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ । ସେପଟେ ୧୯ ତାରିଖରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ଆସି ବିଜେପିର ଜନ ଆଶୀର୍ବାଦ ଯାତ୍ରାରେ ସାମିଲ ହେବେ । ତେଣୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହା ଦୁଇ ପ୍ରମୁଖ ରାଜନୈତିକ ଦଳର ଶକ୍ତି ପ୍ରଦର୍ଶନ ବୋଲି ଚର୍ଚ୍ଚା ହେଉଛି ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜୋରଦାର ହେବ ରାଜନୈତିକ ଲଢେଇ । ବିଜେପି ବନାମ ବିଜେଡି ମଧ୍ୟରେ ହେବ ଶକ୍ତି ପ୍ରଦର୍ଶନ । ସରକାରୀ କାର୍ଯ୍ୟକ୍ରମ , ହେଲେ ପଞ୍ଚାୟତ ନିର୍ବାଚନ ପାଇଁ ପାଗ ଭିଡା ଆରମ୍ଭ କରିଛନ୍ତି ୨ ପ୍ରମୁଖ ଦଳ । ଆଗାମୀ ୨୦ ତାରିଖରେ ମାଲକାନଗିରି ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ପରିବର୍ଦ୍ଧିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ନୂଆ କାର୍ଡ ବାଣ୍ଟି ଯୋଜନାର ସୁଫଳ ବିଷୟରେ ଅବଗତ କରିବେ । ଖାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଉ ନାହାନ୍ତି ପୂରା ନବୀନଙ୍କ ଟିମ ଅର୍ଥାତ ୭ ମନ୍ତ୍ରୀ ୭ ବ୍ଲକରେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।

ଆସନ୍ତା ୧୯ ତାରିଖରେ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ହେଭିେଓଟ୍ୱ ତଥା ୨ ପାୱାରଫୁଲ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ । ଏହି ଦୁଇ ମନ୍ତ୍ରୀ ରାଜ୍ୟର ବିଭିନ୍ନ ଅଂଚଳ ଯାଇ ମାହୋଲ ପରଖିବେ । ଧର୍ମେନ୍ଦ୍ର ପ୍ରଧାନ ଖୋର୍ଦ୍ଧା, କଟକ ଓ ପୁରୀ ଗସ୍ତ କରିବେ । ଅଶ୍ୱିନୀ ବୈଷ୍ଣବ ରାୟଗଡା, କଳାହାଣ୍ଡି , କୋରାପୁଟ, ଖୋର୍ଦ୍ଧା, କଟକ, ନବରଙ୍ଗପୁର ଓ ବଲାଙ୍ଗୀର ଗସ୍ତ କରି ଲୋକମାନଙ୍କ ସହ ଆଲୋଚନା କରି ଜନ ଆଶୀର୍ବାଦ ଲୋଡିବେ । ଅର୍ଥାତ ପଞ୍ଚାୟତ ନିର୍ବାଚନ ପଇଁ ବିଜେପି ବିଗୁଲ ବଜାଇ ମାହୋଲ ସୃଷ୍ଟି କରି ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ଜୋସ ଭରିବ ।

ଆସନ୍ତା ଫେବ୍ରୁଆରୀ ମାସରେ ପଂଚାୟତ ନିର୍ବାଚନ ପାଇଁ ପଡିପାରେ ଭୋଟ । ଏସବୁ ଭିତରେ ବିଜେଡି ଓ ବିଜେପି ଶକ୍ତି ପ୍ରଦର୍ଶନ କରି ମାହୋଲ ସୃଷ୍ଟି କରୁଛନ୍ତି । ୨୦୧୭ ପଂଚାୟତ ନିର୍ବାଚନରେ ଯେଉଁ ଜିଲ୍ଲାରେ ବିଜେଡି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ସେହି ଜିଲ୍ଲାରେ ଅଧିକ ଫୋକସ କରିଛି ଦଳ ।