କନକ ବ୍ୟୁରୋ : ପଞ୍ଚାୟତ ପାଇଁ ଯେତେବେଳେ ରାଲି, ସମାବେଶ ଓ ସମାଗମ ଉପରେ ରୋକ ଲାଗୁଛି ଠିକ୍ ସେତିକି ବେଳେ ନେତାଙ୍କ ଭରସା ସାଜିଛି ସୋସିଆଲ ମିଡିଆ । ଫେସବୁକ, ଟ୍ୱିଟର ଓ ହ୍ୱାଟ୍ସଆପ ଜରିଆରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରଣନୀତି ପ୍ରସ୍ତୁତି ଚାଲିଛି ଡିଜିଟାଲ ୱାର ରୁମରେ । କିଭଳି ତିଆରି ହେଉଥିବା କଣ୍ଟେଣ୍ଟ ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ପହଞ୍ଚିବ ଏବଂ ଦଳ ସପକ୍ଷରେ ଏକ ବାତାବରଣ ତିଆରି ହୋଇପାରିବ ସେ ନେଇ ନେତା ବ୍ଲୁପ୍ରିଣ୍ଟ ତିଆରିରେ ବ୍ୟସ୍ତ ।
କରୋନା କାଳରେ ପ୍ରଚାରର ନୂଆ ଧାରା ସହ ରାଜନୈତିକ ଦଳ ଆଗକୁ ବଢିବେ । କାରଣ ରାଲି, ସମାବେଶ ଉପରେ କଟକଣା ଲାଗିଛି । ତେଣୁ ଭରସା ସାଜିଛି ଭର୍ଚୁଆଲ ପ୍ଲାଟଫର୍ମ, ସାହାସ ଦେବ ସୋସିଆଲ ମିଡିଆ ।
ତେବେ ସୋସିଆଲ ମିଡିଆରେ କେଉଁ ରାଜନୈତିକ ଦଳ କେତେ ସକ୍ରିୟ ? ତୃଣମୁଳ ସ୍ତର ପର୍ଯ୍ୟନ୍ତ କାହାର ଟିମ୍ କେତେ ମଜଭୁତ୍? ତୃତୀୟ ଲହରର ଭୟ ଭିତରେ ସଂକ୍ରମଣ କମ୍ ରଖିବାକୁ ପଞ୍ଚାୟତ ନିର୍ବାଚନ ପାଇଁ ଯେତେବେଳେ ନୂଆ କଟକଣା ଗୁଡିକ ଲାଗୁଛି, ସେତେବେଳେ ଫେସବୁକ, ହ୍ୱାଟସଆପ୍, ଇନଷ୍ଟାଗ୍ରାମ୍, ଟ୍ୱିଟର୍, ଭର୍ଚୁଆଲ ରାଲି ପ୍ଲାଟଫର୍ମ ଗୁଡିକ ନେତାଙ୍କ ପାଇଁ ପ୍ରଚାରର ନୂଆ ମାଧ୍ୟମ ସାଜିବାକୁ ଯାଉଛି । ଏକାଥରେ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଁଚିବାକୁ ରଣନୀତି ତିଆରି କରି ରାଜନୈତିକ ଦଳ ୱାର୍ ରୁମ୍ ପ୍ରତିଷ୍ଠା କରିସାରିଲେଣି ।
ସର୍ବାଧିକ ୫ ଜଣ ସାଥୀଙ୍କୁ ନେଇ ଜଣେ ପ୍ରାର୍ଥୀ ପ୍ରଚାର କରିପାରିବେ ବୋଲି କଟକଣା ଲାଗିଛି । ଏଭଳି ସ୍ଥିତିରେ ବିଧାୟକ ହୁଅନ୍ତୁ ଅବା ମନ୍ତ୍ରୀ, ସାଂସଦ ହୁଅନ୍ତୁ ଅବା ଜିଲ୍ଲା ସଭାପତି । ପ୍ରଭାରୀଙ୍କ ଠାରୁ ଆରମ୍ଭ କରି ପ୍ରଭାବଶାଳୀ ନେତାଙ୍କ ଯାଏଁ ସମସ୍ତେ ଏବେ ଯୁବକର୍ମୀଙ୍କୁ ଧରି ସୋସିଆଲ ମିଡିଆରେ ସକ୍ରିୟ ହେବାରେ ଲାଗିଛନ୍ତି
ଲଢେଇ ଚାଲିବ ଫେସବୁକରେ । ଭିଡିଓ ଘୁରି ବୁଲିବ ହ୍ୱାଟସଆପରେ । ପ୍ରତି ରାଜନୈତିକ ଦଳ ପାଇଁ ସୋସିଆଲ ମିଡିଆ ଯଦିଓ ନୂଆ ନୁହେଁ, ହେଲେ ଏଥିରେ ବି ସକ୍ରିୟତାର ମାପକାଠିରେ କିଏ ଆଗରେ ଅଛି ତ କିଏ ପଛରେ । ନଜର ପକାନ୍ତୁ ପଞ୍ଚାୟତ ପାଇଁ କିଭଳି ଯୋଜନା ଚାଲିଛି ସାଇବର୍ ୱାର୍ ରୁମରେ ।
- ପଞ୍ଚାୟତ ସ୍ତର ଯାଏଁ ତିଆରି ହୋଇଛି ହ୍ୱାଟସଆପ ଗ୍ରୁପ୍
- ଜିଲ୍ଲା ଓ ବ୍ଲକ ସ୍ତରର କୋ-ଅର୍ଡିନେଟରଙ୍କୁ ଦାୟିତ୍ୱ ବଣ୍ଟାଯାଇଛି
- ପ୍ରତି ଦିନ କେତେ ଲୋକଙ୍କ ପାଖେ ପହଞ୍ଚିଲେ, ତାର ରିପୋର୍ଟ ଆସୁଛି
- ନିର୍ବାଚନ ମଣ୍ଡଳୀ ଅନୁଯାୟୀ କମିଟି ଓ ପ୍ରଭାରୀଙ୍କୁ ଦାୟିତ୍ୱ ବଣ୍ଟାଯାଇଛି
- ସରକାରଙ୍କ ସଫଳତା ଓ ବିଫଳତାକୁ ନେଇ ଘନ ଘନ ଫଟୋ ଭିଡିଓ ତିଆରି ହେଉଛି
- ଫେସବୁକରେ ପରସ୍ପରକୁ ଟାର୍ଗେଟ କରି ପୋଷ୍ଟ ଚାଲିଛି
ତେବେ ବଡ କଥା ହେଉଛି, ରାଲି, ସମାବେଶରେ ଯେଉଁ ଶକ୍ତି ପ୍ରଦର୍ଶନ ଚାଲି ଆସିଥିଲା, ତାର ସମ୍ପୂର୍ଣ୍ଣ ବିକଳ୍ପ ଯେ ସୋସିଆଲ ମିଡିଆ ହୋଇପାରିବ, ସେନେଇ ଦ୍ୱନ୍ଦ୍ୱ ପ୍ରକାଶ ପାଇଛି । ହେଲେ ସୋସିଆଲ ମିଡିଆ ସହ ଆଦୌ ଜଡିତ ନଥିବା ନେତାଙ୍କ ଭରସା ସେଇ ଡୋର୍ ଟୁ ଡୋର୍ କ୍ୟାମ୍ପେନ ଉପରେ ରହିବ ବୋଲି ଅନୁମାନ କରାଯାଉଛି । ସମୟ କମ ଥିବାରୁ, ନେତା ଏବେ ସୋସିଆଲ ମିଡିଆ ପାଇଁ କମିଟି ଗଠନ କରିବା ବଦଳରେ, ଲୋକଙ୍କ ଦୁଆରେ ପହଞ୍ଚିବା ଆରମ୍ଭ କରିସାରିଲେଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/22-18.jpg)