ଗୋଲଡେନ ବାବାଙ୍କ ପଲିଟିକାଲ ଲିଙ୍କ୍ ! ସୋସିଆଲ ମିଡିଆରେ ବୁଲୁଛି ନେତା ଓ ମନ୍ତ୍ରୀଙ୍କ ସହ ଫଟୋ

225

କନକ ବ୍ୟୁରୋ : ଗୋଲଡେନ ବାବାଙ୍କ ପଲିଟିକାଲ ଲିଙ୍କକୁ ନେଇ ଚର୍ଚ୍ଚା । କିଛି ନେତାଙ୍କ ସହ ଗୋଲଡେନ ବାବାଙ୍କ ଫଟୋ ଭାଇରାଲ ହେବା ପରେ ପ୍ରେସମିଟ କରି ଗୋଲଡେନ୍ ବାବା ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ । ସେପଟେ ଛାତ୍ର ବିଜେଡି କହିଛି ଏହା ଗୁଜବ, ସତସାହସ ଅଛି ତ ତଥ୍ୟ ପ୍ରମାଣ ସହ ଆଗକୁ ଆସନ୍ତୁ ।

ଗୋଲଡେନ ବାବାର ପଲିଟିକାଲ ଲିଙ୍କ ! ଆଉ ଏହାକୁ ପ୍ରସଙ୍ଗ କରିଛି ଛାତ୍ର କଂଗ୍ରେସ । ସୋସିଆଲ ମିଡିଆରେ ଘୁରି ବୁଲୁଛି ଗୋଲଡେନ ବାବାଙ୍କ ସହ ନେତା ମନ୍ତ୍ରୀଙ୍କ ଫଟୋ । ଗୋଟିଏ ମଂଚରେ ଏକାଠି ହୋଇଛନ୍ତି ରାଜଧାନୀର ପ୍ରଥମ ନାଗରିକ ମେୟର ଅନନ୍ତ ନାରାୟଣ ଜେନା । ଗୋଲଡେନ ବାବାଙ୍କ ସହ ମିଶି ମେୟର କମ୍ବଳ ବାଂଟୁଥିବାର ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଛି । ଫଟୋ କହୁଛି ମେୟର ଓ ଗୋଲଡେନ ବାବା ଥିଲେ କେତେ ଅନ୍ତରଙ୍ଗ । ସେହିପରି ଗୋଲଡେନ ବାବାଙ୍କୁ ବିଜେଡି ର‌୍ୟାଲିରେ ଦେଖିବାକୁ ମିଳିଛି । ର‌୍ୟାଲିରେ ଦେବୀ ପ୍ରସାଦ ମିଶ୍ର, ବିଭୁତି ବଳବନ୍ତ ରାୟ ଓ ରାଜୁ ସାହୁ ବି ସାମିଲ ଅଛନ୍ତି । ହେବିୱେଟଙ୍କ ନାଁ ବିକି ଗୋଲଡେନ ବାବା ମାର୍କେଟରୁ ଟଙ୍କା ଉଠାଉଥିଲା ବୋଲି ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ ।

ସେପଟେ ଛାତ୍ର ବିଜେଡି ଏହି ଅଭିଯୋଗକୁ ସହଜରେ ଗ୍ରହଣ କରିନାହିଁ । ଗୁଜବ କରୁଛି ଛାତ୍ର କଂଗ୍ରେସ । ସତସାହସ ଅଛି ତ ତଥ୍ୟ ପ୍ରମାଣ ସହ ସାମନାକୁ ଆସନ୍ତୁ । ରାତିରାତି କୋଟିପତି ହୋଇଥିବା ଗୋଲଡେନ ବାବା ଆଗାମୀ ନିର୍ବାଚନରେ ଭୁବନେଶ୍ୱରରୁ ଉତର ବିଧାୟକ ଭାବେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ନେଇ ଚର୍ଚ୍ଚା ହେଉଥିଲା । ଆଉ ଏବେ ଭାଇରାଲ ହେଉଥିବା ଏହି ଫଟୋ ହିଁ ବୟାନ କରୁଛି କିପରି ରାଜନେତାଙ୍କୁ ମୋହରା କରୁଥିଲେ ଗୋଲଡେନ ବାବା ।