ବଦଳିବ କି ଓଡିଶା ରାଜନୀତିର ସମୀକରଣ ? ବିଜୟ, ପଂଚାନନ, ଦିଲ୍ଲୀପ ଓ ବୈଜୟନ୍ତଙ୍କୁ ନେଇ ବଢୁଛି ସସପେନ୍ସ ।

325

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବା ବେଳେ ବଦଳୁଛି ରାଜ୍ୟ ରାଜନୀତିର ଦୃଶ୍ୟପଟ । ରାଜ୍ୟର କିଛି ଅଭିଜ୍ଞ ନେତା ନୂଆ ରଣନୀତି ଆପଣେଇବା ସମ୍ଭାବନା ବଢିବାରେ ଲାଗିଛି । ପଂଚାନନ କାନୁନଗୋଙ୍କ ଭଳି ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିବା ନେତା କମ୍ ବ୍ୟାକ୍ କରିବା ଚର୍ଚ୍ଚା ହେଉଛି । ସେହିପରି ବିଜୟ, ଦିଲ୍ଲୀପ ଓ ବୈଜୟନ୍ତଙ୍କୁ ନେଇ ମଧ୍ୟ ଭିନ୍ନ ସମୀକରଣର କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।

ବିଜେପି ଛାଡିବା ପରେ ଓଡିଶା ରାଜନୀତିର ଏହି ଅଭିଜ୍ଞ ନେତା ବିଜୟ ମହାପାତ୍ରଙ୍କ କ’ଣ ହେବ ଆଗାମୀ ରାଜନୈତିକ ପଦକ୍ଷେପ, ତାକୁ ନେଇ ଲାଗିରହିଛି ଉତ୍କଣ୍ଠା । ଏହାରି ଭିତରେ ସାମ୍ନାକୁ ଆସିଛି ଏଭଳି ଏକ ଦୃଶ୍ୟ । ଯେତେବେଳେ ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋଙ୍କ ଘରେ ପହଂଚିଛନ୍ତି ବିଜୟ ମହାପାତ୍ର । ଶୁଣିବାକୁ ମିଳୁଛି ଦୁଇ ନେତା ନିଜର ଆଗାମୀ ରାଜନୈତିକ ଭବିଷ୍ୟତ ନେଇ ମନ୍ତ୍ରଣା କରିଛନ୍ତି । ଯଦିଓ ଔପଚାରିକ ଭାବେ କିଛି ଘୋଷଣା କରାଯାଇ ନାହିଁ । ତେବେ ଏକଥା ବି ଶୁଣିବାକୁ ମିଳୁଛି ଯେ, ଦୀର୍ଘଦିନ ହେଲା ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିବା ବରିଷ୍ଠ ନେତା ପଂଚାନନ କାନୁନଗୋ ୨୦୧୯ରେ କଂଗ୍ରେସ କ୍ୟାମ୍ପରୁ ପୁଣିଥିରେ ନିଜର ଭାଗ୍ୟ ପରୀକ୍ଷା କରିପାରନ୍ତି ।

ନିର୍ବାଚନ ବର୍ଷରେ ରାଜ୍ୟର ତିନି ପ୍ରମୁଖ ଦଳ ନିଜ ନିଜ ରଣନୀତିକୁ ଜୋରଦାର କରିଥିବାବେଳେ ଏକ ଭିନ୍ନ ସମୀକରଣର ସମ୍ଭାବନା ବି ବଢିଯାଇଛି । ଏପଟେ ବିଜେପି ଛାଡିଥିବା ଆଉ ଜଣେ ବରିଷ୍ଠ ନେତା ଦିଲ୍ଲୀପ ରାୟ ବି ନିଜର ଆଗାମୀ ରାଜନୈତିକ ଲଢେଇ ପାଇଁ ଏକ ସୁରକ୍ଷିତ କ୍ୟାମ୍ପ ଖୋଜୁଛନ୍ତି । ଆଉ ବିଜୟ ପୂର୍ବରୁ କହିଛନ୍ତି ଦିଲ୍ଲୀପ ଫେରିବା ପରେ ଏକାଠି ନିଷ୍ପତି ନିଆଯିବ । ତେଣୁ ପଂଚାନନଙ୍କ ଘରେ ବିଜୟଙ୍କ ଉପସ୍ଥିତି ଓ କଂଗ୍ରେସ କ୍ୟାମ୍ପରୁ ପଂଚାନନ ଲଢିବା ନେଇ ଚର୍ଚ୍ଚା ଭିତରେ ଭିନ୍ନ ସମୀକରଣର ସଂକେତ ମିଳୁଛି ।

ହେଉଥିବା ଚର୍ଚ୍ଚା ଅନୁସାରେ କେଉଁ ମାନଙ୍କୁ ଦଳରେ ନେଲେ ଭଲହେବ । ଉଭୟ ବିଜେଡି ଓ ବିଜେପିକୁ ମାତ୍ ଦିଆଯାଇ ପାରିବ । ସେନେଇ ରାଜ୍ୟ ନେତୃତ୍ୱଙ୍କ ମତାମତ ଲୋଡିଛନ୍ତି କଂଗ୍ରେସ ହାଇକମାଣ୍ଡ । ରାଜ୍ୟ ରାଜନୀତିର ଆଉଜଣେ ଚର୍ଚ୍ଚିତ ଚେହେରା ବୈଜୟନ୍ତ ପଣ୍ଡା । ଦୀର୍ଘଦିନ ହେଲା ବିଜେଡି ଛାଡିଥିଲେ ବି ଏପର୍ଯ୍ୟନ୍ତ ନିଜର ଆଗାମୀ ରଣନୀତି ନେଇ ସ୍ପଷ୍ଟ କରିନାହାନ୍ତି ଏହି ପୂର୍ବତନ ସାଂସଦ । ହେଲେ ତାଙ୍କ ପାଇଁ ସବୁଦ୍ୱାର ଖୋଲା ରହିଥିବା କହିବୁଲୁଛନ୍ତି । ଏପଟେ ପିସିସି ସଭାପତି ବି ସ୍ପଷ୍ଟ କରିସାରିଛନ୍ତି ଯେ, ଯେଉଁମାନେ ଓଡିଶା ପାଇଁ କାମ କରିବାକୁ ଆଗ୍ରହୀ ତାଙ୍କୁ ଦଳରେ ସ୍ୱାଗତ କରାଯିବ । ୨୦୧୯ ନିର୍ବାଚନକୁ ଆଉ ଅଳ୍ପ କେଇ ମାସ ବାକିଥିବା ବେଳେ ରାଜ୍ୟ ରାଜନୀତିକୁ ପ୍ରଭାବିତ କଲାଭଳି ଦକ୍ଷତା ରଖୁଥିବା ଏହି ନେତାମାନଙ୍କ ନିଷ୍ପତି ଉପରେ ନଜର ରହିଛି । ଜନତା ଦଳରେ ରାଜନୀତି କରିଥିବା ଏହି ନେତାମାନଙ୍କ ଭିତରେ ଅନେକ ସାମଞ୍ଜସ୍ୟ ବି ରହିଛି ।