ନ୍ୟୁୟର୍କ ଓ ଲଣ୍ଡନରେ ପୋଲିଓ ଆତଙ୍କ, ଟାଇପ ଟୁ ଭାଇରସ ଚିହ୍ନଟ। ନ୍ୟୁୟର୍କରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା।

143

କନକ ବ୍ୟୁରୋ: ଆମେରିକାରେ କରୋନାର ଭୟାବହ ସ୍ଥିତିରେ ସୁଧାର ଆସିବାରେ କିଛି ଦିନ ନପୁରୁଣୁ ଏବେ ମୁଣ୍ଡ ଟେକିଛି ପୋଲିଓ ସଂକ୍ରମଣ । ବିଶେଷ କରି ନ୍ୟୁୟର୍କରେ ମାଡିଚାଲିଛି ପୋଲିଓ ସଂକ୍ରମିତଙ୍କ ସଂଖ୍ୟା । ସ୍ଥିତିକୁ ଦୃଷ୍ଟିରେ ରଖି ଏଠାରେ ଆଲର୍ଟ ଜାରି କରାଯାଇଛି ।  ଅକ୍ଟୋବର ୯ ସୁଦ୍ଧା ଏଠାରେ କଟକଣା ବଳବତ୍ତର ରହିବ । ସେପଟେ ନ୍ୟୁୟର୍କ ପ୍ରଶାସନ ଏଠାରେ ପୋଲିଓ ଟିକାକରଣ ପ୍ରକ୍ରିୟାକୁ ଯୁଦ୍ଧକାଳୀନ ଭିତରେ କରିବା ନିର୍ଦ୍ଦେଶ ଦେଇଛନ୍ତି । କିଛି ଦିନ ପୂର୍ବରୁ ସ୍ଥାନୀୟ ଶିଶୁଙ୍କ ନିକଟରେ ପୋଲିଓର ଲକ୍ଷଣ ପ୍ରକାଶ ପାଇଥିଲା । ଏହା ପରେ କିଛି ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ସମସ୍ତ ରିର୍ପୋଟ ପଜିଟିଭି ଆସିବା ପରେ ନ୍ୟୁୟର୍କରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

ପ୍ରାୟ ଦଶବର୍ଷ ପରେ ଆମେରିକାରେ ପୋଲିଓ  ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଜୁଲାଇ ୯ ତାରିଖରେ ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । କେବଳ ନ୍ୟୁୟର୍କ ନୁହେଁ ବିଟ୍ରେନ ରାଜଧାନୀ ଲଣ୍ଡନରେ ମଧ୍ୟ ଏହି ଭାଇରସ ଚିହ୍ନଟ ହୋଇଛି । ବର୍ତମାନ ଉଭୟ  ଦେଶରେ ଟିକାକରଣ ଶତପ୍ରତିଶତ କରିବା ଉପରେ ଜୋର ଦିଆଯାଉଛି ।

ସୂଚନା ଅନୁସାରେ ୧୯୫୨ ମସିହାରେ ଆମେରିକାରେ ୫୮ହଜାର ପୋଲିଓ ରୋଗୀଙ୍କ ମାମଲା ସାମ୍ନାକୁ ଆସିଥିଲା । ଏମାନଙ୍କ ମଧ୍ୟରୁ ୩ହଜାର ୧୪୫ଜଣଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ୧୯୫୫ ମସିହାରେ ଦେଶରେ ବଡ ଧରଣର ପୋଲିଓ ବିରୋଧୀ ଅଭିଯାନ ଆରମ୍ଭ ହୋଇଥିଲା ।

ଫେରିଲା ପୋଲିଓ:

• ପୋଲିଓର ଚିକିତ୍ସା ଏବେ ସୁଦ୍ଧା ନାହିଁ ।

• ଟିକା ଦ୍ୱାରା ଏହାକୁ ବିଶ୍ୱରୁ ପ୍ରାୟତଃ ମୂଳପୋଛ କରାଯାଇଛି ।

• ଦଶ ବର୍ଷ ପରେ ନୂଆ ପ୍ରଜାତି ଠାବ୍ ହୋଇଛି ।

• ନ୍ୟୁୟର୍କ ଓ ଲଣ୍ଡନରେ ଟାଇପ ଟୁ ପ୍ରଜାତି ଠାବ୍ ହୋଇଛି ।

• ଦୂଷିତ ପାଣିରେ ଏହି ଭାଇରସ ଠାବ କରାଯାଇଛି 

ପାକିସ୍ତାନ, ବାଙ୍ଗଲାଦେଶ ପୂର୍ବରୁ ହିଁ ପୋଲିଓ ସମସ୍ୟା ସହ ଲଢେଇ କରୁଛନ୍ତି । ବର୍ତମାନ ବିଟ୍ରେନ ଓ ନ୍ୟୁୟର୍କରେ ଏହି ଭାଇରସ ଚିହ୍ନଟ ହେବା ଭାରତ ପାଇଁ ମଧ୍ୟ ଚିନ୍ତାର କାରଣ । ଦୂଷିିତ ପାଣି ମାମଲାରେ ଭାରତ ବେଶ ଆଗରେ । ଟାଇପ-ଟୁ ପୋଲିଓ ମୁଖ୍ୟତଃ ଭାବେ ଦୁଷିତ ପାଣିରେ ହିଁ ବ୍ୟାପୁଥିବା ଯୋଗୁଁ ଭାରତ ପାଇଁ ନିଶ୍ଚିତ ଭାବେ ହାଇଆର୍ଲଟ କହିଲେ କିଛି ଭୁଲ ହେବନି ।