ହେଲମେଟ ଅଭିଯାନକୁ ନେଇ ଆଉ ପାଦେ ଆଗେଇଲା ପୋଲିସ ! ଆପଣ ହେଲମେଟ ପିନ୍ଧିଥିଲେ କି ନାହିଁ, ଦୁର୍ଘଟଣା ଜନିତ ମୃତ୍ୟୁରେ ଏଣିକି ରହିବ ତଥ୍ୟ ।

35

ହେଲମେଟ ଅଭିଯାନକୁ ଆଉ ଏକ ପାଦ ଆଗକୁ ବଢାଇଛି ପଞ୍ଜାବ ପୋଲିସ ପ୍ରଶାସନ । ଏବେ ଟ୍ରାଫିକ ନିୟମ ଉଲ୍ଲଘଂନ କରିବା ଆହୁରି ମହଙ୍ଗା ପଡିବ । ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କୁ ପୋଲିସ ଆଉ କେବଳ ଫାଇନ କାଟି ଛାଡିଦେବନି । ଯଦି ସଡକ ଦୁର୍ଘଟଣାରେ ଦୁଇ ଚକିଆ ଯାନ ଚାଳକର ମୃତ୍ୟୁ ହୋଇଯାଏ ତେବେ ଦୁର୍ଘଟଣା ସମୟରେ ମୃତ ବ୍ୟକ୍ତି ହେଲମେଟ ପିନ୍ଧିଥିଲେ କି ନାହିଁ ସେ ବାବଦରେ ଏଫଆଇଆରରେ ଉଲ୍ଲେଖ ରହିବ ।

ପଞ୍ଜାବ ଟ୍ରାଫିକ ଏଡିଜିପି ଶରଦ ସତ୍ୟ ଚୌହାନ କହିଛନ୍ତି ଯେ, ଏପରି କରିବାର କାରଣ ହେଉଛି ପୂର୍ବରୁ ହେଲମେଟ ନପିନ୍ଧିବା କାରଣରୁ କେତେ ଲୋକଙ୍କର ମୃତ୍ୟୁ ହୋଇଛି ସେନେଇ ପୋଲିସ ପାଖରେ କୌଣସି ତଥ୍ୟ ନାହିଁ । କିନ୍ତୁ ହେଲମେଟ ନପିନ୍ଧିବା କାରଣରୁ ଆଦାୟ ହେଉଥିବା ଫାଇନରେ ଦିନକୁ ଦିନ ବୃଦ୍ଧି ହେଉଛି । ୨୦୧୬ ମସିହାରେ ହେଲମେଟ ନପିନ୍ଧିବା କାରଣରୁ ଚାଳକମାନଙ୍କ ଠାରୁ ଯେଉଁଠି ୮୦ ହଜାର ଟଙ୍କା ଚାଲାଣ କଟାଯାଇଥିଲା ତାହା ୨୦୧୭ ରେ ବୃଦ୍ଧି ହୋଇ ୧.୮୦ ଲକ୍ଷ ଟଙ୍କାରେ ପହଞ୍ଚିଛି ।

ପଞ୍ଜାବ ଭବନରେ ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ ଶରଦ ସତ୍ୟ ଚୌହାନ କହିଛନ୍ତି ଯେ, ଟ୍ରାଫିକ ନିୟମକୁ କଡାକଡି ପାଳନ କରିବା ଦ୍ୱାରା ସଡକ ଦୁର୍ଘଟଣାରେ ହେଉଥିବା ମୃତ୍ୟୁ ସଂଖ୍ୟା ୧୫.୭ ପ୍ରତିଶତ ଖସିଆସିଛି । ଏଡିଜିପି କହିଛନ୍ତି ଯେ, ରାଜ୍ୟରେ ମୋଟ ୪୦୦ ବ୍ଲାକ ସ୍ପଟ ରହିଛି ଯେଉଁଥିରୁ ୧୫୦କୁ ଉନ୍ନତିକରଣ କରାଯାଇସାରିଲାଣି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପଞ୍ଜାବରେ ୬୦ରୁ ୬୫ ପ୍ରତିଶତ ସଡକ ଦୁର୍ଘଟଣା ଜାତୀୟ ରାଜପଥ କିମ୍ବା ରାଜ୍ୟ ରାଜପଥରେ ହୋଇଥାଏ । ଯାହାକି ମୋଟ ଦୁର୍ଘଟଣାର ୫.୪ ପ୍ରତିଶତ ଅଂଶ ଅଟେ । ତେବେ ଏପରି ଅଭିଯାନ ଦ୍ୱାରା ସଡକ ଦୁର୍ଘଟଣାକୁ କିଛି ମାତ୍ରାରେ ରୋକା ଯାଇପାରିବ ।