ରଥଯାତ୍ରାର ସୁରୁଖୁର ସମାପନ ପାଇଁ ୪ ଆଇପିଏସ୍ ଅଫିସରଙ୍କୁ ଗୁରୁ ଦାୟିତ୍ୱ । ମୂତୟନ ହେବେ ୧୫୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ।

118

କନକ ବ୍ୟୁରୋ : ଜୁଲାଇ ୪ ତାରିଖରେ ଘୋଷଯାତ୍ରା । ରଥଯାତ୍ରାରେ ସୁରକ୍ଷା ନେଇ ସମୀକ୍ଷା ବୈଠକ କରିଛି ପୁଲିସ ବିଭାଗ । ସୁରୁଖୁରୁରେ ରଥଯାତ୍ରା ସମାପନ କରିବାକୁ ୪ଜଣ ଆଇପିଏସ ଅଫିସରଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ଚଳିତ ବର୍ଷ ମଧ୍ୟ ପୂର୍ବବର୍ଷ ଭଳି ୧୫୫ ପ୍ଲାଟୁନ୍ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ୱରେ ମୂତୟନ ହେବେ । ସିସିଟିଭି କ୍ୟାମେରା ବଳୟରେ ରହିବ ଶ୍ରୀମନ୍ଦିର ସମେତ ପୁରୀ ସହର ।

ସୌମେନ୍ଦ୍ର ପ୍ରିୟଦର୍ଶୀ, କେନ୍ଦ୍ରାଂଚଳ ଆଇଜି ।
ଶ୍ରୀମନ୍ଦିରର ସୁରକ୍ଷା ଦାୟିତ୍ୱରେ ରହିବେ ବରିଷ୍ଠ ଆଇପିଏସ୍ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ।

ସଂଜୀବ ପଣ୍ଡା, ଆଇଜି ।
ରଥଯାତ୍ରା ସମୟରେ ଆଇନଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱ ରହିଛି ବରିଷ୍ଠ ଆଇପିଏସ୍ ଅଧିକାରୀ ସଂଜୀବ ପଣ୍ଡାଙ୍କ ଉପରେ ।

ଅସିତ ପାଣିଗ୍ରାହୀ, ଆଇଜି ।
ଭିଡ଼ ନିୟନ୍ତ୍ରଣ ଓ ପରିଚାଳନା ଦାୟିତ୍ୱ ସମ୍ଭାଳିବେ ବରିଷ୍ଠ ଆଇପିଏସ୍ ଅସିତ ପ୍ରାଣିଗ୍ରାହୀ ।

ଅମିତାଭ ଠାକୁର, ଆଇଜି ।
ଟ୍ରାଫିକ ପରିଚାଳନା ର ଦାୟିତ୍ୱ ନେବେ ବରିଷ୍ଠ ଆଇପିଏସ ଅମିତାଭ ଠାକୁର ।
ଏହି ୪ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ଉପରେ ରହିଛି ରଥଯାତ୍ରାର ସବୁଠୁ ବଡ଼ ଦାୟିତ୍ୱ ।

ଜୁଲାଇ ୪ ତାରିଖରେ ଘୋଷଯାତ୍ରା । ସାରା ବିଶ୍ୱର ନଜର ଥାଏ ଏହି ରଥଯାତ୍ରା ଉପରେ । ଦେଶ ବିଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୦ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ । ବିଶ୍ୱପ୍ରସିଦ୍ଧ ଏହି ରଥଯାତ୍ରାର ସୁପରିଚାଳନା ଓ ଆଇନଶୃଙ୍ଖଳା ରକ୍ଷା ସବୁଠୁ ବଡ଼ ଚ୍ୟାଲେଂଜ ହୋଇଥାଏ । ପୋଲିସ ଡିଜି ଆରପି ଶର୍ମାଙ୍କ ଅଧ୍ୟକ୍ଷତାରେ ପୁରୀରେ ଅନୁଷ୍ଠିତ ସୁରକ୍ଷା ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ ରାଜ୍ୟର ବରିଷ୍ଠ ଅଧିକାରୀ । ସୁରକ୍ଷା ପାଇଁ ଚଳିତ ବର୍ଷ ମଧ୍ୟ ପୂର୍ବବର୍ଷ ଅନୁରୂପ ୧୫୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୂତୟନ ହେବେ । ରାପିଡ୍ ଆସ୍କନ ଫୋର୍ସ, କାଉଂଟର ଟେରୋରିଷ୍ଟ ସ୍କ୍ୱାଡ୍, ଉପକୂଳ ସୁରକ୍ଷା ପାଇଁ କୋଷ୍ଟଗାର୍ଡ ମୂତୟନ ହେବେ ।

ବାତ୍ୟା ଫନି ଯୋଗୁଁ ସୁରକ୍ଷା ସମ୍ପର୍କିତ ଅନେକ କାର୍ଯ୍ୟ ଧିମା ପଡିଥିବାରୁ ସେଗୁଡିକୁ କିପରି ତ୍ୱରାନ୍ୱିତ କରିହେବ, ସେନେଇ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଡିଜି । ଖରାପ ହୋଇ ପଡିଥିବା ସିସିଟିଭି ଗୁଡିକର ମରାମତି କାର୍ଯ୍ୟ ଚାଲିଛି । ପୋଲିସ ଫୋର୍ସ ଓ ଅଫିସର ରହୁଥିବା ଯେଉଁ କୋଠା ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି, ସେଗୁଡିକର ତୁରନ୍ତ ମରାମତି ପାଇଁ ରାଜ୍ୟ ସରକାରଙ୍କୁ ଜଣାଇଛି ପୋଲିସ ବିଭାଗ ।