ବନ କର୍ମଚାରୀଙ୍କୁ ମିଳିବ ପୋଲିସ କ୍ଷମତା: ଶିକାରୀ ଓ ସନ୍ଦିଗ୍ଧଙ୍କର ମୋବାଇଲ ଟ୍ରାକିଂ ସହ କଲ ଡିଟେଲ୍ସ ଯାଂଚ ପାଇଁ ରାଜ୍ୟ ସରକାରଙ୍କ ଅନୁମତି
କନକ ବ୍ୟୁରୋ: ବନ କର୍ମଚାରୀଙ୍କୁ ମିଳିବ ପୋଲିସ କ୍ଷମତା । ଶିକାରୀ ଓ ସନ୍ଦିଗ୍ଧଙ୍କ ମୋବାଇଲ ଟ୍ରାକିଂ କରିପାରିବେ ବନ ଅଧିକାରୀ । ଲୋକେସନ ଟ୍ରାକସହ କଲ ଡିଟେଲସ ଯାଂଚ କରିବା ନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଜୟଦେବଭବନରେ ଆୟୋଜିତ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ଉତ୍ସବ ଅବସରରେ ଏହି ସୂଚନା ଦେଇଛନ୍ତି ୱାଇଲଡ ଲାଇଫ ପିସିସିଏଫ୍ । ସେହିପରି ଶିକାରୀଙ୍କ ଦମନ ପାଇଁ ଗୁଳି ଚାଳନା ପ୍ରଶିକ୍ଷଣ ନେଉଛନ୍ତି ବନ ଅଧିକାରୀ । ଏପର୍ଯ୍ୟନ୍ତ ୯୦ ଜଣ ଅଧିକାରୀ ଏହି ପ୍ରଶିକ୍ଷଣ ନେଇ ସାରିଛନ୍ତି । ଆଗକୁ ପର୍ଯ୍ୟାୟକ୍ରମେ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଗୁଳି ଚାଳନା ତାଲିମ ଦିଆଯିବ ବୋଲି ସୂଚନା ଦେଇଛନ୍ତି ୱାଇଲଡ ଲାଇଫ ପିସିସିଏଫ୍ । ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ପ୍ରଧାନ ମୁଖ୍ୟ ବନ ସଂରକ୍ଷିତ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ବନ୍ୟପ୍ରାଣୀ ତଥା ସେମାନଙ୍କ ଆବାସସ୍ଥଳୀର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ଜନସାଧାରଣଙ୍କୁ ଅପିଲ କରିଥିଲେ । ଏହି ଅବସରରେ ଫଟୋଚିତ୍ର ପ୍ରଦର୍ଶନୀ, କ୍ୱିଜ୍, ଫଟୋଗ୍ରାଫି ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।