ବଣାଇ ମହୁଲପଦା ଥାନା ଲୁଙ୍ଗା ପାହାଡରେ ମାଓବାଦୀ-ପୋଲିସ ଗୁଳି ବିନିମୟ! କୁମ୍ବିଂ ବେଳେ ଖସିଗଲା ମାଓ କମାଣ୍ଡର ଅନମୋଲ

24

କନକ ବ୍ୟୁରୋ : ପୋଲିସ-ମାଓବାଦୀ ଗୁଳି ବିନିମୟ । ଯବାନଙ୍କୁ ଚକମା ଦେଇ ଖସିଗଲା ମାଓ କମାଣ୍ଡର ଅନମୋଲ । ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ଲୁଙ୍ଗା ପାହାଡରେ ମୁହାଁମୁହିଁ ହୋଇଛନ୍ତି ପୋଲିସ-ମାଓବାଦୀ । ଗତକାଲି ରାତିରେ ଉଭୟ ପକ୍ଷରୁ ଜୋରଦାର ଗୁଳିବିନିମୟ ହୋଇଛି । ତେବେ ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । କୌଣସି ମତେ ପୋଲିସ ପଞ୍ଝାରୁ ମାଓ କମାଣ୍ଡର ଅନମୋଲ ଫେରାର ହେବାରେ ସକ୍ଷମ ହୋଇଛି । ତେବେ ପୋଲିସ ଗୁଳିରେ ଜଣେ ମାଓବାଦୀ ଆହତ ହୋଇଥିବା ସୂଚନା ମିଳିଛି ।

ଲୁଙ୍ଗା ପାହାଡରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିବା ସୂଚନା ପାଇଁ ଅପରେସନ ଆରମ୍ଭ କରିଥିଲେ ପୋଲିସ ଓ ଯବାନଙ୍କ ମିଳିତ ଟିମ୍ । ଗତକାଲି ରାତି ୮ଟାରୁ ଆରମ୍ଭ ହୋଇଥିଲା କୁମ୍ବିଂ ଅପରେସନ୍ । ସୁରକ୍ଷା କର୍ମୀଙ୍କୁ ଦେଖି ମାଓବାଦୀ ଆଖିବୁଜା ଗୁଳିମାଡ କରିଥିଲେ, ଆଉ ସୁରକ୍ଷା କର୍ମୀଙ୍କ ପାଲଟା ଆକ୍ରମଣରେ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ତେବେ ମାଓକ୍ୟାମ୍ପରୁ ବିପୁଳ ପରିମାଣର ମାଓବାଦୀଙ୍କ ସାମଗ୍ରୀ ଜବତ ହୋଇଛି । ମାଓକ୍ୟାମ୍ପ ଧ୍ୱଂସ କରିବା ପରେ ମଧ୍ୟ ସୁରକ୍ଷା କର୍ମୀ ସର୍ଚ୍ଚ ଅପରେସନ ଚଲାଇଛନ୍ତି । ଏହି କୁମ୍ବିଂ ଅପରେସନରେ ଶତାଧିକ ଯବାନ ସାମିଲ ହୋଇଥିବା ସୂଚନା ମିଳିଛି ।