ଅଭିଯୁକ୍ତକୁ ଧରିବା ପାଇଁ ଆସି ତିଗିରିଆରେ ପୁଲିସ ହଟହଟା। ନୂଆପାଟଣା ବଜାର ରାସ୍ତାରେ ଉତେଜନା, ପୁଲିସ-ଜନତା ଧସ୍ତାଧସ୍ତି।

137

କନକ ବ୍ୟୁରୋ: ଅଭିଯୁକ୍ତକୁ ଧରିବା ପାଇଁ ଯାଇଥିଲେ, ହେଲେ ମାଡ଼ଖାଇ ଫେରିଲେ ପୁଲିସ ବାବୁ । ଏକ ମାମଲାରେ ଅଭିଯୁକ୍ତକୁ ଧରିବା ପାଇଁ ତିଗିରିଆ ଥାନା ପଙ୍କାଳ ଗାଁକୁ ଯାଇଥିଲେ ଢେଙ୍କାନାଳ ସଦର ଥାନା ଏସଆଇ ଚନ୍ଦ୍ରକାନ୍ତ ସେଠୀ । ଅଭିଯୁକ୍ତଙ୍କ ସଂପର୍କୀୟଙ୍କ ଘରେ ଚଢ଼ାଉ କରିଥିଲେ । ଫେରୁଥିବା ବେଳେ ନୂଆପାଟଣା ବଜାର ଠାରେ ଅଭିଯୁକ୍ତଙ୍କ ଜଣେ ସଂପର୍କୀୟକୁ ଉଠାଇ ନେଇଥିଲେ । ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ଉତେଜନା ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା । ପୁଲିସକୁ ମାଡ଼ମାରିଥିଲେ ଲୋକେ । ସବ ଇନ୍ସପେକ୍ଟର ଚନ୍ଦ୍ରକାନ୍ତ ସେଠୀଙ୍କ ମୁଣ୍ଡ ଫାଟିଯାଇଥିବା ବେଳେ ତାଙ୍କଠାରୁ ବନ୍ଧୁକ ଛଡ଼ାଇ ନିଆଯାଇଥିବା ଅଭିଯୋଗ ହୋଇଛି ।

ଘଟଣାସ୍ଥଳରେ ତିଗିରିଆ ପୁଲିସ ପହଁଚି ତାଙ୍କୁ ଉଦ୍ଧାର କରିଛି । ତେବେ ଜାଣିବାକୁ ମିଳିଛି ଯେ ଚଢ଼ାଉ ସଂପର୍କରେ ସ୍ଥାନୀୟ ପୋଲିସକୁ କିଛି ସୂଚନା ନଦେଇ ଏକ ପ୍ରାଇଭେଟ କାର୍ରେ ଆସିଥିଲେ ଏସଆଇ ଚନ୍ଦ୍ରକାନ୍ତ ସେଠୀ । ଆଠଗଡ଼ ଏସଡିପିଓ ବିଜୟ କୁମାର ବିଶି ଘଟଣାସ୍ଥଳରେ ପହଁଚି ତଦନ୍ତ ଚଳାଇଛନ୍ତି ।