ମାସେ ପରେ ବି ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ପୋଲିସକୁ ମିଳିନାହିଁ ସଫଳତା । ଡିଜିପିଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଂଚ୍

158

କନକ ବ୍ୟୁରୋ: ଏସିଏଫ ସୌମ୍ୟ ରଂଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚ ତଦନ୍ତ ଆରମ୍ଭ କରିଛି । ଡ଼ିଏଫଓ ଓ ବିଦ୍ୟାଭାରତୀଙ୍କୁ ଜେରା କରିପାରେ କ୍ରାଇମବ୍ରାଂଚ । ଏହି ମାମଲାରେ ଅଭିଯୁକ୍ତ ଥିବା ଅନ୍ୟମାନଙ୍କୁ ମଧ୍ୟ ପଚରା ଉଚରା କରାଯିବ । ମୃତ ମୌମ୍ୟରଂଜନଙ୍କ ସରକାରୀ ବାସଭବନରେ ୨ ଘଂଟା ଧରି ଯାଂଚ ହୋଇଛି । ଘରର ଆସବାବପତ୍ର, ଫିଙ୍ଗରପ୍ରିଂଟ, କେମିକାଲ ବ୍ୟବହାର ପରୀକ୍ଷା ହୋଇଛି । ପାରଳାଖେମୁଣ୍ଡି ଥାନାରେ ପହଂଚି ତଦନ୍ତ କରିଛି କ୍ରାଇମବ୍ରାଂଚ ଟିମ୍ । କ୍ରାଇମବ୍ରାଂଚର ୬ ଜଣିଆ ଟିମ୍ ଏହି ତଦନ୍ତ ଆରମ୍ଭ କରିଛିନ୍ତି ।

ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପଛରେ ରହିଛି କାହାର ହାତ? ଏହା ଏକ ଆତ୍ମହତ୍ୟା ନା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ? ସୌମ୍ୟଙ୍କୁ ଆତ୍ମହତ୍ୟା ପାଇଁ କେହି ପ୍ରବର୍ତାଇଛନ୍ତି କି? ପ୍ରାୟ ମାସେ ଧରି ଅସମାହିତ ଥିବା ଏସବୁ ପ୍ରଶ୍ନର ଉତର ଖୋଜିବ କ୍ରାଇମବ୍ରାଂଚ୍ । କାରଣ ପାରଳାଖେମୁଣ୍ଡି ପୋଲିସ ଫେଲ ମାରିବା ପରେ ଏବେ କ୍ରାଇମବ୍ରାଂଚ୍ ଉପରେ ଭରସା କରିଛନ୍ତି ପୋଲିସ ଡିଜି । ୬ ଜଣିଆ ଫରେନସିକ ଟିମ ସହିତ ପାରଳାଖେମୁଣ୍ଡିରେ ଡେରା ପକାଇଛି କ୍ରାଇମବ୍ରାଂଚର ଏହି ସ୍ପେଶାଲ ଟିମ୍ । ଏଥିରେ ଅଛନ୍ତି ଫିଜିକ୍ସ, କେମିଷ୍ଟ୍ରି, ଫିଙ୍ଗର ପ୍ରିଂଟ, ଫଟୋଗ୍ରାଫି, ଭିଡଓଗ୍ରାଫି ଓ ଫାୟାର ଡିପାର୍ଟମେଂଟର ଏକ୍ସପର୍ଟ ।

ସୌମ୍ୟଙ୍କ ବାପା ଆଣିଥିବା ଅଭିଯୋଗ ଆଧାରରେ ଛାନଭିନ କରିବ କ୍ରାଇମବ୍ରାଂଚ । ପତ୍ନୀଙ୍କଠାରୁ ଆରମ୍ଭ କରି ଶ୍ୱଶୂର ଘର ଯାଏଁ ସଂସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ । ସେହିପରି ଅପରାଧର ଶେଷ ଦୃଶ୍ୟରେ ଥିବା ଡିଏଫଓଙ୍କଠାରୁ ଆରମ୍ଭ କରି ରୋଷେୟା ପର୍ଯ୍ୟନ୍ତ ପୁଣିଥରେ ଜେରାହେବେ । ମାସେ ଧରି ପାରଳାଖେମୁଣ୍ଡି ପୋଲିସ ସୌମ୍ୟରଞ୍ଜନ ଘଟଣାର ତଦନ୍ତ କରୁଥିବାବେଳେ ତରବରିଆଭାବେ ଡିଏଫଓଙ୍କୁ କ୍ଲିନଚିଟ୍ ଦେଇଥିଲା । ଆଉ ଏହି ରହସ୍ୟମୟ ଘଟଣା ଉପରୁ ପର୍ଦ୍ଦା ଉଠାଇବାରେ ଫେଲ ମାରିବା ପରେ କ୍ରାଇମବ୍ରାଂଚକୁ ତଦନ୍ତ ଭାର ଦିଆଯାଇଛି । ଯାହା କ୍ରାଇମବ୍ରାଂଚ ପାଇଁ ଅଧିକ ଅଡୁଆ ସୃଷ୍ଟି କରିପାରେ ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି ।

ପାରଳା ପୋଲିସର କହିବା ହେଲା ସୌମ୍ୟରଞ୍ଜନ ତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀରେ ଦୁର୍ଘଟଣାରୁ ତାଙ୍କ ଦେହରେ ନିଆଁ ଲାଗିଥିବି କହିଛନ୍ତି । ହେଲେ ପତ୍ନୀ ବିଦ୍ୟାଭାରତୀଙ୍କ ସହ ସୌମ୍ୟଙ୍କ ବୈବାହିକ ସଂପର୍କ ଭଲନଥିବା ଓ ଡିଏଫଓଙ୍କ ସହ ବିଦ୍ୟାଭାରତୀଙ୍କ ସଂପର୍କ ନେଇ ସୌମ୍ୟଙ୍କ ପରିବାର ଅଭିଯୋଗ ଆଣିବାପରେ ଘଟଣା ଭିନ୍ନ ମୋଡ ନେଇଥିଲା । ତେଣୁ ଏସବୁ ଦିଗରୁ ତଦନ୍ତ କରିବ କି କ୍ରାଇମବ୍ରାଂଚ୍ । ପ୍ରଥମରୁ ପାରଳା ପୋଲିସକୁ ୩ ଜଣିଆ କ୍ରାଇମବ୍ରାଂଚ ଟିମ୍ ସହାୟତା କରୁଥିବାବେଳେ ଏବେ ପୁଣି ୬ ଜଣିଆ ଟିମର ଛିନଭିନ ପୁରା ଘଟଣା ଉପରୁ ପରଦା ଉଠାଇବାରେ ସଫଳ ହେବ ତ?