ଝରାଫୁଲ ମୃତ୍ୟୁରେ କ’ଣ ରହିଛି ସ୍କୁଟି ପଛର କାହାଣୀ । ପୋଲିସ ଆଗରେ ମୁହଁ ଖୋଲିଲା ଅଭିଯୁକ୍ତ ରାକେଶ 

404

କନକ ବ୍ୟୁରୋ: ଝରାଫୁଲ ମୃତ୍ୟୁରେ କଣ ରହିଛି ସ୍କୁଟି ପଛର କାହାଣୀ,  ଆଜି ସେନେଇ ପୋଲିସ ଆଗରେ ବଖାଣିଛି ରାକେଶ । ଲାଲ ରଙ୍ଗର ସ୍କୁଟିରେ କେମିତି ଝରାଫୁଲଙ୍କୁ ଯାଜପୁର ନେଇଥିଲା ଏବଂ ମୃତଦେହକୁ ରାସ୍ତାକଡରେ ଫୋପାଡିବା ପରେ ସ୍କୁଟିକୁ କେଉଁଠାରେ ଲୁଚାଇ ରଖିଥିଲା ସେନେଇ ରାକେଶ ପୋଲିସ ଆଗରେ ମୁହଁ ଖୋଲିଛି । ବଡ କଥା ହେଉଛି ପ୍ରମାଣ ନଷ୍ଟ କରିବା ପାଇଁ ରାକେଶ ଏହି ସ୍କୁଟିକୁ ବିକ୍ରି କରିବାକୁ ମଧ୍ୟ ଯୋଜନା କରିଥିଲା । ସେପଟେ ପୋଲିସ ରାକେଶର ସାନଭାଇ ଏବଂ ସମ୍ପର୍କୀୟ ଭାଇକୁ ବି ଜେରା କରିଛି ।

ଗାଡି ନମ୍ବର ଓଡି-୦୨ ବିପି-୭୮୮୫, ନାଲିରଙ୍ଗର ସ୍କୁଟି ଏବେ ପୋଲିସ କବଜାରେ । ପୋଲିସ ରିମାଣ୍ଡରେ ଥିବା ଝରାଫୁଲ ମୃତ୍ୟୁ ଘଟଣାର ମାଷ୍ଟରମାଇଣ୍ଡ ରାକେଶ କହିଛି ନାଲି ସ୍କୁଟିର କାହାଣୀ । ଝରାଫୁଲଙ୍କ ମୃତ୍ୟୁ ପରେ ପ୍ରମାଣ ନଷ୍ଟ କରିବାକୁ ତାଙ୍କ ମୃତଦେହକୁ ଏହି ଗାଡିରେ ଯାଜପୁର ନେଇଯାଇଥିଲା ଅଭିଯୁକ୍ତ । ଆଉ ମୃତଦେହକୁ ରାସ୍ତାକଡରେ ଫୋପାଡିବା ପରେ ଫେରାର ରାକେଶ ରଚିଥିଲା ଷଡଯନ୍ତ୍ରର ନକ୍ସା । ଗାଡିକୁ ଉଭାନ କରିବା ପାଇଁ ଗାଡିର ରଙ୍ଗ ବଦଳାଇବା ପାଇଁ ଚେଷ୍ଟା ବି କରିଥିଲା ରାକେଶ । ଏପରିକି ଗାଡିର ନମ୍ବର ପ୍ଲେଟ ବାହାର କରି ଗାଡି ଡିକିରେ ରଖିଥିଲା ଅଭିଯୁକ୍ତ । ଏହାସହିତ ଗାଡିଟିକୁ ଅନ୍ୟକୁ ବିକ୍ରି କରିବାପାଇଁ କରିଥିଲା ଯୋଜନା । ସୁନ୍ଦରପଦାର ଧୋବାଛକ ଅଂଚଳରୁ ଲୁଚାଇଥିବା ସ୍କୁଟିକୁ ଜବତ କରାଯାଇଛି । ଆଉ ଜେରା ସମୟରେ ପୋଲିସ ଜାଣିବାକୁ ଚାହିଁଛି

ଝରାଫୁଲ ସହିତ ପ୍ରେମ ସମ୍ପର୍କ ବିଷୟରେ ଘରେ କହିଥିଲା କି ରାକେଶ?

ଝରାଫୁଲ ମୃତ୍ୟୁ ସମ୍ପର୍କରେ ପରିବାରଲୋକଙ୍କୁ କିଛି ଜଣାଇଛି କି ରାକେଶ?

ଝରାଫୁଲଙ୍କ ସହିତ ଭୁବନେଶ୍ୱରରେ ଯାହା ସବୁ ଘଟିଲା ସେ ବିଷୟରେ ପରିବାରସଦସ୍ୟକୁ ଜଣାଇଥିଲା କି ରାକେଶ?

ଅନ୍ୟପଟେ ଝରାଫୁଲଙ୍କ ମୋବାଇଲକୁ ଖୋଜୁଛି ପୋଲିସ । କାରଣ ଏହି ମୋବାଇଲରୁ ପୋଲିସକୁ କିଛି ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିବାର ସମ୍ଭାବନା ଅଛି । ଅଭିଯୁକ୍ତ ରାକେଶର ସହଯୋଗୀ ଶେଖର ପାଖରେ ପହଂଚିବା ମଧ୍ୟ ପୋଲିସ ପାଇଁ ଚ୍ୟାଲେଂଜ ହୋଇଛି । ଅନ୍ୟପଟେ ଏବେ ବନ୍ଦ ଲଫାପା ଭିତରେ ରହିଛି ଝରାଫୁଲଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଏହି ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇପାରିବ  ୨୬ ତାରିଖ ରାତିରେ ଗେଷ୍ଟହାଉସର ରୁମ ନମ୍ବର ୨୦୧ରେ ଝରାଫୁଲଙ୍କ ସହିତ କଣ ସବୁ ଘଟିଥିଲା ଏବଂ କେମିତି ହୋଇଥିଲା ତାଙ୍କ ମୃତ୍ୟୁ ।