ଆଉ ଅମାନିଆଙ୍କୁ ନିସ୍ତାର ନାହିଁ । ସାମାଜିକ ଦୂରତା ମାନୁନଥିବା ଓ ମାସ୍କ ପିନ୍ଧୁନଥିବା ବ୍ୟକ୍ତିଙ୍କ ଠାରୁ ପୁଣି ଜରିମାନା ଆଦାୟ ଆରମ୍ଭ କଲା କଟକ ପୋଲିସ ।

192

କନକ ବ୍ୟୁରୋ : ଗତକାଲି ମୁଖ୍ୟମନ୍ତ୍ରୀ କରୋନା ସମୀକ୍ଷା କରିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ କଟକଣାକୁ ଆହୁରି କଡାକଡି କରାଯାଇଛି ।ମାଲକାନଗିରିରେ ନାଇଟ କର୍ଫ୍ୟୁ ଆରମ୍ଭ ହୋଇଥିବା ବେଳେ ଟ୍ୱିନସିଟିରେ ଲୋକଙ୍କୁ ବୁଲି ବୁଲି ସଚେତନ କରିଛି ପୋଲିସ । କିନ୍ତୁ ଏହାସତ୍ତେ୍ୱ ମଧ୍ୟ କିଛି ଅମାନିଆ କୋଭିଡ ଗାଇଡଲାଇନକୁ ଖୋଲାଖୋଲି ଉଲ୍ଲଂଘନ କରିଥିବାର ଦେଖିବାକୁ ମିଳିଛି । ଆଉ ଏମାନଙ୍କୁ ସାବାଡ କରିବାକୁ ପୁଣିଥରେ ଫାଇନ କାଟିବା ଆରମ୍ଭ କରିଛି ପୋଲିସ ।

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ପରେ ଗତକାଲି କଟକର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା । କିଛି ସ୍ଥାନରେ ସାମାଜିକ ଦୂରତା ନିୟମକୁ ଲୋକେ ଫୁ କରି ଉଡାଇଦେଇଥିବା ବେଳେ ଅନ୍ୟ କିଛି ସ୍ଥାନରେ ଲୋକଙ୍କ ମୁହଁରେ ମାସ୍କ ନଥିଲା । ଫଳରେ କୋଭିଡ ଗାଇଡଲାଇନର ଉଲ୍ଲଂଘନ ଅନୁଯାୟୀ, ୨୩୬ ଜଣ ମାସ୍କ ନ ପିନ୍ଧିବା ଓ ୧୬୮ ଜଣ ସାମାଜିକ ଦୂରତା ନରଖିଥିବା ବ୍ୟକ୍ତିଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କଟକ ଡିସିପି । ଏହାସହ ଜନସାଧାରଣଙ୍କୁ କୋଭିଡ ଗାଇଡଲାଇନକୁ ମାନିବାକୁ ଅନୁରୋଧ କରିଛନ୍ତି ।