ମମିତା ମେହେରଙ୍କ ମୋବାଇଲ ଚିହ୍ନିବାକୁ ପରିବାର ଲୋକଙ୍କୁ ଡାକିଲା ପୋଲିସ। ସାମ୍ନାକୁ ଆସିପାରେ ବଡ ରହସ୍ୟ

152

କନକ ବ୍ୟୁରୋ: ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବଡ ରହସ୍ୟ ଖୋଲିବ ମୋବାଇଲ । ପୂର୍ବରୁ ତାଙ୍କ ମୋବାଇଲ ପୋଡି ପାଉଁଶ ହୋଇଯାଇଥିବା ସୂଚନା ଦେଇଥିଲା ପୋଲିସ । ହେଲେ ଗୋବିନ୍ଦଙ୍କ ଡ୍ରାଇଭର ରାଧେଙ୍କ ଘରୁ ଯେଉଁ ଧଳା ରଙ୍ଗର ବ୍ୟାଗ୍ ମିଳିଛି, ସେଥିରେ ମଧ୍ୟ ଏକ ମୋବାଇଲ ଫୋନ୍ ରହିଛି । ତେବେ ଏହି ମୋବାଇଲ ଫୋନ୍ ମମିତାର କି ନୁହେଁ ତାହା ଚିହ୍ନଟ କରିବାକୁ ପୋଲିସ ମମିତାଙ୍କ ପରିବାରକୁ ଡାକିଛି ।

ମମିତାଙ୍କ ପରିବାର ଲୋକେ ପୋଲିସର ସୂଚନା ପାଇ ବଲାଙ୍ଗୀର ଏସପିଙ୍କ କାର୍ଯ୍ୟାଳୟକୁ ଯାଉଛନ୍ତି । ଯଦି ଏହା ମମିତାଙ୍କ ମୋବାଇଲ୍ ହୋଇଥାଏ, ତେବେ ବହୁ ବଡ଼ ବଡ଼ିଆଙ୍କ ପାପ ପେଡ଼ି ଖୋଲିବାକୁ ସମର୍ଥ ବୋଲି ଚର୍ଚ୍ଚା ହେଉଛି । ଗତକାଲି ରାଧେଙ୍କ ପତ୍ନୀ ଘର ଖଟ ତଳୁ ଏକ ବ୍ୟାଗ୍ ପାଇଥିଲେ । ଯେଉଁଥିରେ ଜିନ୍ସ ପ୍ୟାଣ୍ଟ, କଳା ସାର୍ଟ ଓ ଏକ ମୋବାଇଲ୍ ଫୋନ୍ ଥିବା କୁହାଯାଉଛି । ପୂର୍ବରୁ ମମିତାଙ୍କ ପରିବାର ମଧ୍ୟ ସେ ଭିଭୋ ବ୍ରାଣ୍ଡର ଏକ ନୂଆ ମୋବାଇଲ୍ ଫୋନ୍ କିଣିଥିବା କଥା କହିଥିଲେ । ଅନୁମାନ କରାଯାଉଛି, ଯେଉଁ କାରରେ ମମିତାଙ୍କୁ ଅପହରଣ କରାଯାଇଥିଲା, ସେହି କାରରେ ରହିଯାଇଥିଲା ମମିତାଙ୍କ ବ୍ୟାଗ । ଆଉ ଗୋବିନ୍ଦଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟାଗଟିକୁ କାରରୁ ନେଇ ନିଜ ଘର ଖଟତଳେ ଲୁଚାଇ ଦେଇଥିଲେ ଗୋବିନ୍ଦଙ୍କ ଅତି ଘନିଷ୍ଠ ଡ୍ରାଇଭର ରାଧେ ।