ଭଞ୍ଜନଗର ତାରସିଂଗି ଥାନା ଅଂଚଳରେ ଅଭାବନୀୟ ଘଟଣା । ପୋଲିସର ଲାଠି ଚାର୍ଜରେ ଲହୁଲୁହାଣ ଗ୍ରାମବାସୀ ।

151

କନକ ବ୍ୟୁରୋ: ପୋଲିସ ଲାଠି ଚାର୍ଜରେ ଲହୁଲୁହାଣ ହେଲେ ଗ୍ରାମବାସୀ । ଭଞ୍ଜନଗର ତାରସିଂଗି ଥାନା ଅଂଚଳର ଗେରେଡା ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । ଦିନ ରାତି ଗାଁକୁ ପଇଁତରା ମାରି ଚୋର କବଳରୁ ଗାଁକୁ ସୁରକ୍ଷା ଦେବାକୁ ଆଗେଇ ଆସିଥିବା ଯୁବକ ମାନଙ୍କ ଉପରେ ଲାଠିମାଡ଼ କରି ପୋଲିସ ସେମାନଙ୍କୁ କୋର୍ଟ ଚଲାଣ କରିଥିବା ଅଭିଯୋଗ ହୋଇଛି । ଏ ଘଟଣା ପରେ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି ।

ତାରସିଂଗି ଥାନା ଅଂଚଳରେ ଲଗାତାର ଚୋରି ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ ଗାଁ ଲୋକେ ଥାନାରେ ଗୁହାରି କରି ନିରାଶ ହେବା ପରେ ଶେଷରେ ନିଜେ ଆରମ୍ଭ କରିଥିଲେ ନାଇଟ୍ ପେଟ୍ରୋଲିଂ । ତେବେ ଗୋଟିଏ କାରରେ ତିନିଜଣ ଯୁବକ ଆସି ଗାଁରେ ବୁଲୁଥିବାରୁ ସନ୍ଦେହ ହେବାରୁ ସେମାନଙ୍କୁ ଅଟକ ରଖି ପଚରାଉଚୁରା କରିବା ସହ ଗାଁରେ ଥିବା ରାଜୀବ ଗାନ୍ଧି ସେବା କେନ୍ଦ୍ରକୁ ନେଇ ରଖିଥିଲେ ଗ୍ରାମବାସୀ । ସେମାନଙ୍କୁ ପଚରା ଉଚୁରା ବେଳେ ଜଣେ ଯୁବକ ଖସି ପଳାଇବାରୁ ଗ୍ରାମବାସୀଙ୍କ ସନ୍ଦେହ ବଢିଥିଲା । ଯୁବକ ମାନଙ୍କୁ ଅଟକ ରଖିବା ପରେ ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ ।

ଗ୍ରାମବାସୀଙ୍କ ଅଭିଯୋଗ ହେଲା, ପୂର୍ବରୁ ଚୋରକୁ ଧରି ପୋଲିସକୁ ଜିମା ଦେବା ପରେ ଅଧାରାସ୍ତାରେ ପୋଲିସ ସେମାନଙ୍କୁ ଛାଡିଦେଇଛି । ତେଣୁ ଏହି ଯୁବକ କିଏ ଓ କାହିଁକି ଗାଁକୁ ଆସିଥିଲେ ସେନେଇ ଗ୍ରାମବାସୀ ପୋଲିସକୁ ପ୍ରଶ୍ନ କରିଥିଲେ ।  ଏଥିରେ ଉତକ୍ଷିପ୍ତ ହୋଇ ପୋଲିସ ଥାନାରୁ ଫୋର୍ସ ମଗାଇ ଗ୍ରାମବାସୀଙ୍କ ଉପରେ ଲାଠିଚାର୍ଜ କରିଥିଲା । ପୋଲିସର ଲାଠି ମାଡ଼ରେ ୩ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତିି । ସେମାନଙ୍କୁ ଚିକିତ୍ସା କରିବା ବଦଳରେ ଥାନାକୁ ନେଇ ସେମାନଙ୍କ ନାଁରେ ପୋଲିସ କେସ କରିଥିବା ଅଭିଯୋଗ ହୋଇଛି ।