ବରକୁ ଉଠାଇନେଲା ପୁଲିସ…ଅଧାରେ ଅଟକିଲା ବାହାଘର । ଏବେ ଥାନା ହାଜତରେ ବର…ସେପଟେ ମଙ୍ଗୁଳା ହୋଇ ମନ୍ଦିରରେ ବସିଲା କନ୍ୟା

1,025

କନକ ବ୍ୟୁରୋ: ବାହା ବେଦିରେ ପହଂଚି ପାରିଲା ନାହିଁ ବର, ଅଧା ରାସ୍ତାରୁ ବରକୁ ଉଠାଇନେଲା ପୁଲିସ । ଏକ ଅପରାଧ ମାମଲାରେ ବାଙ୍କି ପୁୁଲିସ ଢେଙ୍କାନାଳର ପ୍ରକାଶ ସ୍ୱାଇଁକୁ ଉଠାଇ ନେବା ପରେ ମନ୍ଦିରରେ ବସି ରହିଲା ମଙ୍ଗୁଳା କନିଆ । ସେପଟେ ମାମଲାର ବିଚାର ପରେ କରିବା ସହ ବାହାଘର ପାଇଁ ବରଙ୍କୁ ଛାଡିବାକୁ ପୁଲିସକୁ ଗୁହାରି କରିଛନ୍ତି କନ୍ୟାପିତା ।

ବରକୁ ଉଠାଇନେଲା ପୁଲିସ । ଅଧାରେ ଅଟକିଲା ବାହାଘର । ମନ୍ଦିରରେ ବସିଲା ମଙ୍ଗୁଳା କନ୍ୟା । ଅଧା ରାସ୍ତାରୁ ବରକୁ ଉଠାଇ ନେଲେ ସାଧା ପୋଷାକଧାରି ପୁଲିସ । ଆଉ ଏବେ ଥାନା ହାଜତରେ ବର, ସେପଟେ ମଙ୍ଗୁଳା ହୋଇ ମନ୍ଦିରରେ ବରକୁ ଅପେକ୍ଷା କରି ରହିଲା କନିଆ । ଏମିତି ଏକ ଘଟଣା ଘଟିଛି ବାଙ୍କି ଥାନା ଅନ୍ତର୍ଗତ ସମସରପୁର ଅଂଚଳରେ । ଢେଙ୍କାନାଳ ଜିଲା ତାଳବରକୋଟ ଗାଁର ପ୍ରକାଶ ସ୍ୱାଇଁ ଆଠଗଡ ସମସରପୁରକୁ ବାହା ହେବାକୁ ଯାଉଥିଲେ । ଏକ ମନ୍ଦିରରେ ବିବାହ ପାଇଁ ପ୍ରସ୍ତୁତି ହୋଇଥିବା ବେଳେ ଆଠଗଡ ସାପୁଆ ବ୍ରିଜ ନିକଟରୁ ବର ପ୍ରକାଶ ସ୍ୱାଇଁଙ୍କୁ ଉଠାଇନେଇଛି ପୁଲିସ ।

୨୦୧୮ ମସିହାରେ ଏକ ହତ୍ୟା ମାମଲାରେ ବରକୁ ଉଠାଇ ନେଇଛି ପୁଲିସ । ସମସରପୁରକୁ ନିକଟ ବରକିଶୋରପୁର ଶିବ ମନ୍ଦିରରେ ପ୍ରକାଶଙ୍କର ବାହାଘର ହୋଇଥାନ୍ତା । ଝିଅ ମଙ୍ଗୁଳା ହୋଇ ବସିଥିବାରୁ ବିବାହ ପାଇଁ ପୁଅକୁ ଛାଡିବାକୁ ଅନୁରୋଧ କରିଛନ୍ତି କନ୍ୟା ପିତା । ସେହିପରି ଏହି ମାମଲା ଦୀର୍ଘ ଦିନର ହୋଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ଗିରଫ ନକରି ବିବାହ ପାଇଁ ଯାଉଥିବାବେଳେ କାହିଁକି ଗିରଫ କଲା ବୋଲି ପ୍ରଶ୍ନ କରିଛନ୍ତି ବରପକ୍ଷର ଲୋକ ।

ତେବେ ଅପରାଧ ଘଟଣାରେ ସଂପୃକ୍ତି ପାଇଁ ଏବେ ପୁଲିସ ହେପାଜତରେ ପ୍ରକାଶ । ମାମଲାର ତଦନ୍ତ ହେବ, ଦୋଷ କରିଥିଲେ ହୁଏତ ତାଙ୍କୁ ଦଣ୍ଡ ମିଳିପାରେ, କିନ୍ତୁ ବିନା ଦୋଷରେ ଦଣ୍ଡ ପାଉଛନ୍ତି ଜଣେ ନିରୀହ ଯୁବତୀ ।