ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଡିଏଫଓଙ୍କୁ ପୋଲିସ ଓ କ୍ରାଇମବ୍ରାଞ୍ଚ ଜେରା । ଏସଡ଼ିପିଓ କହିଲେ ସବୁ ଅଭିଯୋଗକୁ ନେଇ କରାଗଲା ପଚରା ଉଚରା ।

426

କନକ ବ୍ୟୁରୋ: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ ଓ ପୁଲିସ । ଆଉ ତଦନ୍ତ ପରେ ଏସଡ଼ିପିଓ କହିଛନ୍ତି ସବୁ ଅଭିଯୋଗକୁ ନେଇ ପଚରା ଉଚରା କରାଯାଇଛି । ତେବେ ଜେରା ପରେ କ୍ୟାମେରା ଆଗକୁ ଆସିନାହାନ୍ତି ଡ଼ିଏଫଓ । କାର୍ଯ୍ୟାଳୟରେ ପଚରା ଉଚରା ପରେ ସୁରକ୍ଷା ଭିତରେ ଡ଼ିଏଫଓଙ୍କୁ ଘରେ ଛାଡ଼ିଦେଇଛି ପୋଲିସ ।

ଏହି ମୃତ୍ୟୁ ଘଟଣାରେ ଡିଏଫଓଙ୍କୁ ନେଇ ସୌମ୍ୟଙ୍କ ପରିବାର ଲୋକ ଅଭିଯୋଗ ଆଣିଥିଲେ । ଏପରିିକି ବିଦ୍ୟାଭାରତୀଙ୍କ ସହ ସମ୍ପର୍କ ଥିବା ନେଇ ବି ସୌମ୍ୟଙ୍କ ପରିବାର ଲୋକେ ପ୍ରଶ୍ନ ଉଠାଇଥିଲେ । ଏସବୁ ଭିତରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଆଜି ଜେରା କରିଛି ପୁଲିସ ଓ କ୍ରାଇମବ୍ରାଞ୍ଚ । ଡିଏଫଓ ଆଜି ଅଫିସ ଆସିବା ପାଇଁ ପୁଲିସକୁ ସୁରକ୍ଷା ମାଗିଥିଲେ । ସୌମ୍ୟଙ୍କ ମୃତ୍ୟୁ ପରେ ଡିଏଫଓଙ୍କ କିଛି ଦିନ ଧରି ଖୋଜଖବର ନଥିଲା ଏବଂ ସେ ଅଫିସ ମଧ୍ୟ ଆସୁନଥିଲେ । ପୂର୍ବରୁ ଡିଏଫଓ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଏହି ମାମଲାରେ ତାଙ୍କର କୌଣସି ହାତ ନାହଁ ଏବଂ ସୌମ୍ୟଙ୍କ ସହ ତାଙ୍କର ଅଫିସ ସମ୍ପର୍କିତ ସମ୍ପର୍କ ରହିଥିଲା ।