ପୋଲାଭରମ ଆଣିଲା ମାଲକାନଗିରିରେ ବନ୍ୟା । ପ୍ରକଳ୍ପ ପାଇଁ ସିଲେରୁ ନଦୀରୁ ହୋଇପାରୁନି ଜଳ ନିଷ୍କାସନ, ପୋଲ ଉପରେ ବନ୍ୟାଜଳ, ଯାତାୟାତ ବାଧାପ୍ରାପ୍ତ ।

361

କନକ ବ୍ୟୁରୋ : ପୋଲାଭରମ ଆଣିଲା ମାଲକାନଗିରିରେ ବନ୍ୟା । ବର୍ଷା କମିଯାଇଛି କିନ୍ତୁ ଏବେବି ପାଣି ଘେରରେ ରହିଛି ମାଲକାନଗିରି । ବ୍ରିଜ ଉପରେ ଆଂଠୁଏ ଉଚ୍ଚର ପାଣି ଚାଲିଛି । ଗୋଦାବରୀ ନଦୀ ଶେଷ ମୁଣ୍ଡରେ ଆନ୍ଧ୍ର ସରକାର ପୋଲାଭରମ ପ୍ରକଳ୍ପ ତିଆରି କରୁଥିବାରୁ ପାଣି ଅଟକାଇ ବନ୍ଧ ନିର୍ମାଣ କରୁଛି । ଏଭଳି ସ୍ଥିତିରେ ସିଲେରୁ ଓ ସାବେରୀ ନଦୀର ବନ୍ୟା ଜଳ ଆଉ ନିଷ୍କାସିତ ହୋଇପାରୁନାହିଁ । ବନ୍ୟାଜଳରେ ବୁଡି ରହିଛି ମାଲକାନଗିରିର ମୋଟୁ ଅଂଚଳ ।

ଲଗାଣ ବର୍ଷା ଥମିଯାଇଛି, ହେଲେ ସ୍ଥିତି ବିଗିଡି ଯାଇଛି । ପ୍ରବଳ ବର୍ଷା, ବନ୍ୟା ଆଣିଛି ମାଲକାନଗିରିରେ । ଚାରିଆଡେ ଖାଲି ପାଣି ଆଉ ପାଣି । ବ୍ରିଜ୍ ଉପରେ ୩ ଫୁଟର ପାଣି ଚାଲିଛି । ପୋଲ ଧୋଇଯାଇଛି । ମୁଖ୍ୟ ରାସ୍ତା ଉପରେ ଡଙ୍ଗା ଚାଲିଛି । ଶହ ଶହ ହେକ୍ଟର ଜମିରେ ଲହଡି ଭାଂଗୁଛି ବନ୍ୟା ପାଣି । ମୋଟୁ ଓ ପୁଶୁଗୁଡା ପଂଚାୟତର ୮ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ।

ମାଲକାନଗିରିକୁ ବିପଦ ପୋଲାଭରମ । ସିଲେରୁ ଜଳରେ ବୁଡିଯିବ ମୋଟୁ । ମାଲକାନଗିରି ଓ ଆନ୍ଧ୍ର ସୀମା ଦେଇ ବୋହୁଛି ସିଲେରୁ ନଦୀ । ଲଗାଣ ବର୍ଷାରେ ସିଲେରୁ ଫୁଲି ଉଠିଛି । ସିଲେରୁର ବନ୍ୟାଜଳ ସିଧାସଳଖ ଗୋଦାବରୀକୁ ଯାଇଥାଏ । ତେବେ ଗୋଦାବରୀ ଶେଷ ମୁଣ୍ଡରେ ପୋଲାଭରମ ପ୍ରକଳ୍ପ ପାଇଁ ଆନ୍ଧ୍ର, ନଦୀ ଜଳକୁ ଅଟକାଇ ବନ୍ଧନିର୍ମାଣ କରୁଛି । ଫଳରେ ସିଲେରୁର ବନ୍ୟାଜଳ ଗୋଦାବରୀକୁ ନିଷ୍କାସନ ହୋଇପାରୁନାହିଁ । ଏବଂ ନଦୀର ବ୍ୟାକୱାଟର ମାଲକାନଗିରିରେ ବନ୍ୟା ସୃଷ୍ଟି କରିଛି । ସେହିପରି ପୋଲାଭରମ ପ୍ରକଳ୍ପ ପାଇଁ ସାବେରୀ ନଦୀ ଜଳ ମଧ୍ୟ ଗୋଦାବରୀକୁ ନଯାଇ ମୋଟୁ ଅଂଚଳରେ ଅଟକି ରହିଛି ।

ସପ୍ତାହ ମଧ୍ୟରେ ମାଲକାନଗିରି ଜିଲ୍ଲାରେ ହାରାହାରି ୧୨୭ ମିଲିମିଟର ବୃଷ୍ଟିପାତ ରେକର୍ଡ କରାଯାଇଛି । ଏବେ ବର୍ଷା କମିଛି । ତଥାପି କାଙ୍ଗରକୋଣ୍ଡା, ପୋଟେରୁ, ପାଙ୍ଗାମ ପରି ୧୨ଟି ତଳୁଆ ପୋଲ ଉପରେ ବନ୍ୟା ଜଳ ଚାଲିଛି । ପୂର୍ବରୁ ୧୯୮୬ ଓ ୨୦୦୬ରେ ମୋଟୁ ଅଂଚଳରେ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ଦିନକ ମଧ୍ୟରେ ବନ୍ୟା ଜଳ ହ୍ରାସ ପାଇଥିଲା । ବର୍ତମାନ ସପ୍ତାହେ ଧରି ବନ୍ୟା ଜଳ ନିଷ୍କାସନ ନହେବା ମାଲକାନଗିରିର ଚିନ୍ତା ବଢାଇଛି । ଆଉ ଏଭଳି ବନ୍ୟା ପଛରେ ପୋଲାଭରମ ପ୍ରକଳ୍ପର ବଡ ଭୂମିକା ରହିଛି ।