ପୋଲାଣ୍ଡ ଉପରେ କିଏ କଲା ମିଜାଇଲ୍ ଆଟାକ୍ ? ସନ୍ଦେହ ଘେରରେ ୟୁକ୍ରେନ୍

146

କନକ ବ୍ୟୁରୋ : ପୋଲାଣ୍ଡରେ ମିଜାଇଲ ମାଡ ଏବଂ ସେଠାରେ ଦୁଇ ଲୋକଙ୍କ ମୃତ୍ୟୁ ଘଟଣାରେ ଜୋରଦାର ହୋଇଯାଇଛି ବୟାନବାଜୀ । ସାମ୍ନାକୁ ଆସୁଛି ଭିନ୍ନ ଭିନ୍ନ ମତ । ପୋଲାଣ୍ଡ, ଆମେରିକା ଏବଂ ନାଟୋର କହିବା ଅନୁସାରେ, ପୋଲାଣ୍ଡ ଉପରେ ଋଷର କୌଣସି ମିଜାଇଲ୍ ମାଡ ହେବା ଅସମ୍ଭବ । ଅନ୍ୟପଟେ କିନ୍ତୁ ୟୁକ୍ରେନ୍ କହିଛି, ଋଷ ଜାଣିଶୁଣି ପୋଲାଣ୍ଡ ଉପରେ ମିଜାଇଲ୍ ମାଡ କରିଛି । ତେବେ ପୋଲାଣ୍ଡ ଉପରେ କିଏ ମିଜାଇଲ୍ ମାଡ କଲା ? ଏଥିରେ ଋଷର ହାତ ଅଛି ନା ୟୁକ୍ରେନର? ଏହାକୁ ନେଇ ବଢିବାରେ ଲାଗିଛି ବିବାଦ । ଏହାରିଭିତରେ ଏହି ଘଟଣାକୁ ନେଇ ମୁହଁ ଖୋଲିଛି ଋଷ ।ୠଷ କହିଛି, ଏହି ମିଜାଇଲ୍ ୟୁକ୍ରେନର ବାୟୁସେନା ଚଲାଇଛି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ପୋଲାଣ୍ଡରେ ପଡିଥିବା ମିଜାଇଲ୍ ଋଷର ହୋଇଥିବ ତାହା ଆମେ ଭାବିପାରୁନୁ । ପୋଲାଣ୍ଡ ଉପରେ ଆକ୍ରମଣ ହେବା ପରେ ବାଇଡେନ୍ ତୁରନ୍ତ ଜି-୭ ଏବଂ ନାଟୋ ମିଟିଂ ଡାକିଥିଲେ । ଏହି ବୈଠକରେ ଆମେରିକା ସମେତ କାନାଡା, ଜରର୍ମାନୀ, ଫ୍ରାନ୍ସ, ଇଟାଲି, ଜାପାନ, ୟୁକେ, ସ୍ପେନ୍ ଏବଂ ନେଦରଲ୍ୟାଣ୍ଡର ରାଷ୍ଟ୍ରପତି ଉପସ୍ଥିତ ରହିଥିଲେ । ଆଲୋଚନା ବେଳେ ଆମେରିକା କହିଛି, ଗତ ମଙ୍ଗଳବାର ଋଷ ୟୁକ୍ରେନ୍ ଉପରେ ଭୟଙ୍କର ମାତ୍ରାରେ ଆକ୍ରମଣ କରିଥିଲା । ଆଉ ଏହାର ଜବାବରେ ୟୁକ୍ରେନ୍ ମିଜାଇଲ୍ ଆଟାକ୍ କରିଥିଲା । ତେଣୁ ଏପରି ହୋଇପାରେ କି, ଭୁଲ ବସତଃ ୟୁକ୍ରେନ୍ ମିଜାଇଲ୍ ପୋଲାଣ୍ଡରେ ପଡିଯାଇଥିବ ।

ଅନ୍ୟପଟେ ୟୁକ୍ରେନର ଅଭିଯୋଗକୁ ଖଣ୍ଡନ କରି, ଋଷ ଏହି ମିଜାଇଲ୍ ଆଟାକର ଦୋଷ ୟୁକ୍ରେନ୍ ଉପରେ ଲଗାଇଛି । ଋଷ ସଫା ସଫା ଶୁଣାଇ ଦେଇଛି ପୋଲାଣ୍ଡ ଉପରେ ଯେଉଁ ମିଜାଇଲ୍ ମାଡ ହୋଇଛି ତାହା ୟୁକ୍ରେନ୍ ତରଫରୁ ଲଞ୍ଚ କରାଯାଇଛି । ଋଷର ରକ୍ଷା ମନ୍ତ୍ରାଳୟ କହିଛି, ଯୁଦ୍ଧକୁ ଆହୁରି ତୀବ୍ରତର କରିବା ପାଇଁ ଏହା ୟୁକ୍ରେନର ଏକ ଚାଲ୍ ।

ୟୁକ୍ରେନ୍ ଉପରେ କାହିଁ ସନ୍ଦେହ କରାଯାଉଛି?

୧୯୯୧ ପର୍ଯ୍ୟନ୍ତ ୟୁକ୍ରେନ୍ ସୋଭିୟତ ସଂଘର ଅଂଶ ଥିଲା ୟୁକ୍ରେନ୍ । ଡିସେମ୍ବର ୧୯୯୧ରେ ସୋଭିୟତ୍ ସଂଘ ବିଭାଜିତ ପରେ ୟୁକ୍ରେନ୍ ସ୍ୱତନ୍ତ୍ର ଦେଶରେ ପରିଣତ ହୋଇଥିଲା । ଅଲଗା ହେବା ପରେ ସୋଭିୟତ୍ ସଂଘରେ ତିଆରି ହୋଇଥିବା ଅନେକ ସାରା ଅସ୍ତ୍ରଶସ୍ତ୍ର ୟୁକ୍ରେନ୍ ପାଖକୁ ବି ଚାଲିଯାଇଥିଲା । ତେଣୁ ଏକ ରିପୋର୍ଟ ଅନୁସାରେ, ୟୁକ୍ରେନ୍ ପାଖରେ ଏବେ ବି ସୋଭିୟ ସଂଘ ଦ୍ୱାରା ବନାଇ ଯାଇଥିବା ଅନେକ ଅସ୍ତ୍ରଶସ୍ତ୍ର ଉପଲବ୍ଧ ରହିଛି । ଯେଉଁଥିରେ ଏସ୍-୩୦୦ ବି ସାମିଲ ରହିଛି । କେବଳ ଏହି କାରଣରୁ ୟୁକ୍ରେନ୍ ଉପରେ ପ୍ରଶ୍ନ ଉଠୁଛି ।