କରୋନା କାଳରେ ନେତାଙ୍କ ଲୋକପ୍ରିୟତା ପରଖିଲା ଇଣ୍ଡିଆ ଟୁଡେ : ମହାମାରୀ ମୁକାବିଲାରେ ନବୀନ, ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ; ମୋଦୀଙ୍କ ଲୋକପ୍ରିୟତା ହ୍ରାସ

392

କନକ ବ୍ୟୁରୋ : ଯଦି ଦେଶରେ ଏବେ ନିର୍ବାଚନ ହୁଏ ତାହାହେଲେ ବିଜେପି ସରକାର କ୍ଷମତା ବଜାର ରଖିପାରିବ କି ? କରୋନା ମହାମାରୀର ମୁକାବିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା କମାଇ ଦେଇଛି କି ? ବିରୋଧୀ ଦଳ ହିସାବେରେ ବିଜେପିକୁ ସାମ୍ନା କରିପାରିବ କି କଂଗ୍ରେସ ?

ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଶ୍ନ ଆଧାରରେ ନେତାଙ୍କ ଲୋକପ୍ରିୟତା ପରଖିଛି ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ । ବର୍ଷକ ଭିତରେ ମୋଦୀଙ୍କ ଲୋକପ୍ରିୟତା ୨୪ ପ୍ରତିଶତକୁ କମିଯାଇଛି । ଗତବର୍ଷ ଅଗଷ୍ଟରେ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କୁ ୬୬ ପ୍ରତିଶତ ଲୋକ ପସନ୍ଦ କରୁଥିଲେ । ଏହି ତାଲିକାରେ ଦ୍ୱିତୀୟରେ ଅଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅର୍ଥାତ ଯୋଗୀଙ୍କୁ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ଭାବେ ପସନ୍ଦ କରିଛନ୍ତି ୧୧ ପ୍ରତିଶତ ଲୋକ ।

ସେହିପରି ରାହୁଲ ଗାନ୍ଧୀଙ୍କୁ ୧୦ ପ୍ରତିଶତ ଲୋକ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା ମତ ରଖିଛନ୍ତି । ମମତା ବାନାର୍ଜୀ ଓ ଅରବିନ୍ଦ କେଜ୍ରିୱାଲଙ୍କୁ ୮ ପ୍ରତିଶତ ଲେଖାଏଁ ଲୋକ ପସନ୍ଦ କରିଛନ୍ତି । ସେପଟେ କରୋନା କାଳରେ ନବୀନ ପଟ୍ଟନାୟକ ପୁଣିଥରେ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଇଣ୍ଡିଆ ଟୁଡେର ମୁଡ୍ ଅଫ୍ ଦି ନେସନ୍ ସର୍ଭେରେ ମହାମାରୀ ମୁକାବିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପଛାର ପକାଇ ଏକ ନମ୍ବର ହୋଇଛନ୍ତି । ତାଙ୍କ ପଛକୁ ରହିଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସେରେନ୍ ।