କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି । ମୋଦୀଙ୍କୁ ସଂସଦରେ ଉପରାଷ୍ଟ୍ରପତି କମଳା ହାରିସ ସ୍ୱାଗତ କରିଥିଲେ । ମିଳିତ ଅଧିବେଶନକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ କିଛି ବର୍ଷ ହେଲା ବିଶ୍ୱରେ ଆର୍ଟିଫିସିଆଲ ଇଂଟିଲିଜେନ୍ସ ବିକଶିତ ହେଉଛି ।

Advertisment

ଏଆଇର ଅନ୍ୟ ଅର୍ଥ ହେଉଛି ଆମେରିକା ଓ ଇଣ୍ଡିଆରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିକାଶ ହୋଇଛି । ଲୋକତନ୍ତ୍ର ଭାରତ ଓ ଆମେରିକା ମଧ୍ୟରେ ସଂପର୍କର ଅତୁଟ ବନ୍ଧନ । ଇତିହାସରେ ଗୋଟିଏ କଥା ସ୍ପଷ୍ଟ, ଲୋକତନ୍ତ୍ର ହେଉଛି ସେହି ଭାବନା, ଯାହା ସମାନତା ଓ ସମ୍ମାନକୁ ସମର୍ଥନ କରିଥାଏ । ଭାରତ ହେଉଛି ସବୁ ଧର୍ମର ଘର । ଭାରତରେ ବିବିଧତା ଜୀବନ ଏକ ପ୍ରାକୃତିକ ତରିକା । ଆଜି ସାରା ବିଶ୍ୱ ଭାତର ବିଷୟରେ ଅଧିକରୁ ଅଧିକ ଜାଣିବାକୁ ଆଗ୍ରହୀ । ଆମେରିକା ସଂସଦକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ହେବା ସମୟରେ ଭାରତ ବିଶ୍ୱର ଦଶମ ଅର୍ଥବ୍ୟବସ୍ଥା ହୋଇରହିଥିଲା ।

ଆଜି ଭାରତ ବିଶ୍ୱର ପଞ୍ଚମ ସବୁଠୁ ବଡ ଅର୍ଥବ୍ୟବସ୍ଥା ଭାବେ ମୁଣ୍ଡ ଟେକିଛି । ଭାରତ ଶୀଘ୍ର ବିଶ୍ୱର ତୃତୀୟ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି । ଯେତେବେଳେ ଭାରତ ବଢିଥାଏ, ବିଶ୍ୱ ମଧ୍ୟ ଆଗକୁ ବଢିଥାଏ ବୋଲି କହିଛନ୍ତି ଭାରତ ପ୍ରଧାନମନ୍ତ୍ରୀ । ରୁଷ-ୟୁକ୍ରେନ ଯୁ୍ଦ୍ଧକୁ ନେଇ କହିଛନ୍ତି ଏହା ଯୁଦ୍ଧର ନୁହେଁ ସମ୍ବାଦ ଓ କୁଟନୀତିର ଯୁଗ । ଭାରତୀୟ ସମୟ ରାତ୍ରି ୧ଟା ୩୦ ମିନଟରେ ନକେନ୍ଦ୍ର ମୋଦୀ ଆମେରିକା ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିଥିଲେ ।

ଆମେରିକାର ହ୍ୱାଇଟ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମିଳିତ ବିବୃତି ଜାରି କରିଛନ୍ତି । ବାଇଡେନ କହିଛନ୍ତି, ଆମେରିକା ଓ ଭାରତ ମଧ୍ୟରେ ସମ୍ପର୍କ ଆହୁରି ଘନିଷ୍ଟ ହୋଇଛି । ଦୁଇ ଦେଶ ମଧ୍ୟରେ ବ୍ୟବସାୟ ଦୁଇ ଗୁଣା ବଢିଛି । ପ୍ରତିରକ୍ଷା, ଅନ୍ତରୀକ୍ଷ କ୍ଷେତ୍ରରେ ସହଯୋଗ ପାଇଁ କଥାବାର୍ତ୍ତା ହୋଇଛି । ସେପଟେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତ ଓ ଆମେରିକାର ସମ୍ପର୍କ ସାରା ବିଶ୍ୱ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।