ବାଇଡେନ, ସୁନକଙ୍କ ସହ ହେନ୍ତାଳ ଗଛ ଲଗାଇଲେ ମୋଦୀ, ନୂଆ ସହଯୋଗୀ ରାଷ୍ଟ୍ର ସହ ଯୋଡିହେଲା ଭାରତ।

131

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ଅନ୍ୟନେତାଙ୍କ ସହ ବୁଧବାର ବାଲିରେ ଏଠାକାର ସବୁଠାରୁ ବଡ ହେନ୍ତାଳ ବଣ ତମନ ହୁତାନ ରାୟା ନଗୁହା ରାୟ ଗସ୍ତ କରିଛନ୍ତି । ଏଠାରେ ସେ ହେନ୍ତାଳ ଗଛ ଲଗାଇଛନ୍ତି । ହେନ୍ତାଳବଣ ସମୁଦ୍ରକୂଳରେ ସୃଷ୍ଟି ହୋଇଥାଏ । ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ଇଣ୍ଡୋନେସିଆର ବାଲିରେ ଅଛନ୍ତି । ମଙ୍ଗଳବାରଠାରୁ ଏହା ଶୁଭାରମ୍ଭ ହୋଇଥିବା ବେଳେ ବୁଧବାର ବୈଠକ ଶେଷ ହେବ ।

ଶିଖର ସମ୍ମିଳନୀର ଔପଚାରିକ ଉଦଘାଟନ ପାଇଁ ପ୍ରଥମେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ବିଡୋଡୋ ମୋଦୀଙ୍କ ସ୍ୱାଗତ କରିଥିଲେ । ମଙ୍ଗଳବାର ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ତଥା ଅନ୍ୟ ନେତାଙ୍କ ସହ ସାକ୍ଷାତ କରିଥିଲେ । ସମସ୍ତଙ୍କ ସହ ସେ ଅନୌପଚାରିକ ଆଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ହୋଇଥିବା ଟ୍ୱିଟରେ କୁହାଯାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ଜି-୨୦ର ନେତା ବାଲିରେ ହେନ୍ତାଳ ବଣ ଦ୍ୱାରା ଜଳବାୟୁ ପରିବର୍ତ୍ତନ ସହ ଲଢେଇ କରିବା ସହ ବିକାଶକୁ ଗୁରୁତ୍ୱ ଦେବାକୁ ଏକା ସହିତ ଆସିବାର ମଜବୁତ ସନ୍ଦେଶ ଦେଇଛନ୍ତି । ଭାରତ ମ୍ୟାନଗ୍ରୋଭ ଆଲାଏନ୍ସ ଫର କ୍ଲାଇମେଟରେ ସାମିଲ ହୋଇସାରିଛି ।

ପ୍ରଧାନମନ୍ତ୍ରୀ ମୋଦୀ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି ବାଲିର ହେନ୍ତାଳ ବଣରେ ଜି-୨୦ ନେତାଙ୍କ ସହ ।

ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି, ହେନ୍ତାଳର ପରିବେଶ ସଂରକ୍ଷଣ ପ୍ରୟାସରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଭାରତ, ଇଣ୍ଡୋନେସିଆରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ଇଣ୍ଡୋନେସିଆ ଏବଂ ୟୁଏଇର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ମ୍ୟାନଗ୍ରୋଭ ଆଲାଏନ୍ସ ଫର କ୍ଲାଇମେଟରେ ସାମିଲ ହୋଇଛି ।

ବନୀକରଣ ପାଇଁ ପ୍ରତ୍ୟେକ ନେତାଙ୍କୁ ଗୋଟିଏ ଗୋଟିଏ ହେନ୍ତାଳ ଗଛ ଦିଆଯାଇଥିଲା । ଏଥିରୁ ମିଳିଥିବା ଦିଶା-ନିର୍ଦ୍ଦେଶରେ ଗଛ ଗୁଡିକୁ ଲଗାଇଦିଆଯାଇଛି । ଜି-୨୦ର ନେତା ମାନେ ଲଗାଇଥିବା ଏହି ହେନ୍ତାଳ ଗଛର ସମ୍ଭାବିତ ବୟସ ସୀମା ପାଖପାଖି ଶହେ ବର୍ଷ ।