କରୋନାର ତୃତୀୟ ଲହର ବିରୋଧରେ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି ୧ ଲକ୍ଷ କରୋନା ଯୋଦ୍ଧା । ପ୍ରଧାନମନ୍ତ୍ରୀ ଆରମ୍ଭ କଲେ ଆଉ ଏକ ମହାଅଭିଯାନ

564

କନକ ବ୍ୟୁରୋ : ଦେଶରେ କରୋନାର ଦ୍ୱିତୀୟ ଲହର ପରେ ତୃତୀୟ ଲହର ଆସୁଥିବା ନେଇ ସଂକେତ ମିଳିବା ପରେ ଏବେ ସରକାର ଏହାର ମୁକାବିଲା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୨୬ ଟି ରାଜ୍ୟରେ ୧୧୧ ଟି ଟ୍ରେନିଂ ସେଣ୍ଟରର ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନିଂ ସେଣ୍ଟର ମାନଙ୍କରେ ସ୍ୱାସ୍ଥ୍ୟ ବିଭାଗର ଆଗ ଧାଡିର କରୋନା ଯୋଦ୍ଧାମାନେ ଟ୍ରେନିଂ ନେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି କି ସାବଧାନତା ସହିତ ଆଗକୁ ଆସୁଥିବା ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ପ୍ରସ୍ତୁତିକୁ ଆଗକୁ ବଢାଇବାକୁ ପଡିବ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି କି ଦେଶରେ ଏବେ ୧ ଲକ୍ଷରୁ ଅଧିକ ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ପ୍ରସ୍ତୁତ କରିବାକୁ ମହା ଅଭିଯାନ ଆରମ୍ଭ କରାଯାଇଛି । ଏହାସହ କରୋନା ଭୂତାଣୁ ବାରମ୍ବାର ତାର ସ୍ୱରୂପ ବଦଳାଉଥିବା ନେଇ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି । ଅନ୍ୟପଟେ ମହାଭିଯାନରେ ସାମିଲ ହୋଇ ଟ୍ରେନିଂ ନେବାକୁ ଆରମ୍ଭ କରିଥିବା କରୋନା ଯୋଦ୍ଧାମାନେ ୩ ମାସ ମଧ୍ୟରେ କ୍ଷେତ୍ରରେ କାମ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଅଭିଯାନ ଫଳରେ କରୋନା ମହାମାରୀ ବେଳେ ଲଢୁଥିବା ଆଗ ଧାଡିର ସ୍ୱାସ୍ଥ୍ୟକର୍ମୀଙ୍କୁ ୧ ଲକ୍ଷ ଯୁବକ ଯୁବତୀ ସହଯୋଗ କରିବା ସହ ସେମାନଙ୍କୁ ରୋଜଗାର ମିଳିବ ବୋଲି ସେ କହିଛନ୍ତି ।

ଟ୍ରେନିଂ ନେବାକୁ ଚାହୁଁଥିବା ପିଲାମାନଙ୍କୁ ସରକାର ମାଗଣାରେ ପ୍ରଶିକ୍ଷଣ, ସ୍କିଲ ଇଣ୍ଡିଆର ସାର୍ଟିଫିକେଟ୍, ମାଗଣା ଖାଇବା ସହ ମାଗଣା ରହିବାର ସୁବିଧା ଯୋଗାଇ ଦିଆଯିବ । ଏହାସହ ଟ୍ରେନିଂ ବେଳେ ପିଲାମାନଙ୍କୁ ଷ୍ଟାଇପେଣ୍ଡ ଓ ଟ୍ରେନିଂ ପରେ ଦରମା ଦିଆଯିବା ସହ ପ୍ରମାଣପତ୍ର ପାଇଥିବା ପିଲାମାନଙ୍କୁ ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ଯୋଗାଇ ଦିଆଯିବ ।

ଏହି ପିଲାମାନଙ୍କର ଟ୍ରେନିଂ ସରିବା ପରେ ସେମାନଙ୍କୁ ଡିଏସି/ଏସଏସଡିଏମର ବ୍ୟବସ୍ଥା ମୁତାବକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ନିଯୁକ୍ତି ମିଳିବ ।