ସ୍ୱାଧୀନତା ଦିବସ : ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

105

କନକ ବ୍ୟୁରୋ : ଆଜି ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ । ଇଂରେଜଙ୍କ ଶାସନ ଅଧୀନରେ ପ୍ରାୟ ୨୦୦ ବର୍ଷ ରହିବା ପରେ ୧୯୪୭ ମସିହା ଆଜିର ଦିନରେ ଦେଶ ସ୍ୱାଧୀନ ହୋଇଥିଲା । ଦେଶକୁ ସ୍ୱାଧୀନ କରିବାକୁ ଅନେକ ସଂଘର୍ଷ ହୋଇଛି, ଅନେକ ସଂଗ୍ରାମ ହୋଇଛି, ଆଉ ଅନେକ ସ୍ୱାଧୀନତା ସଂଗ୍ରାମୀ ସହିଦ ହୋଇଛନ୍ତି । ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଓ ସାହସିକତା ପାଇଁ ଇଂରେଜମାନେ ଦେଶ ଛାଡ଼ି ଚାଲିଯିବାକୁ ବାଧ୍ୟ ହୋଇଥିଲେ ।

ଆଜି ସେହି ସଂଗ୍ରାମୀଙ୍କ ବଳିଦାନକୁ ମନେପକାଉଛି ଦେଶ । ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଦିଲ୍ଲୀର ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ଦେଶର ବହୁ ମାନ୍ୟଗନ୍ୟ ବ୍ୟକ୍ତି ମଧ୍ୟ ସାମିଲ ହୋଇଛନ୍ତି । ଏଥିପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଛୋଟ ଛୋଟ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ ଆଶଙ୍କା ଥିବାରୁ ଏହାର ମୁକାବିଲା କରିବାକୁ ଡିଆରଡିଓ ପକ୍ଷରୁ ବିକଶିତ କାଉଂଟର ଡ୍ରୋନ ସିଷ୍ଟମକୁ ଲାଲକିଲ୍ଲା ନିକଟରେ ମୁତୟନ କରାଯାଇଛି । ଏହାସହ ଲାଲକିଲ୍ଲାର ପ୍ରବେଶ ପଥରେ କ୍ୟାମେରା ଲଗାଯିବା ସହ ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେହିପରି ପ୍ରାୟ ୧୦ ହଜାର ପୁଲିସ୍ ଲାଲକିଲ୍ଲାରେ ମଧ୍ୟ ମୁତୟନ ରହିଛନ୍ତି ।