ଚେନ୍ନାଇରେ ସି ଜିନପିଙ୍ଗ୍: କୋବ ରିସର୍ଟରେ ପ୍ରଧାନମନ୍ତ୍ରୀ ମୋଦି ଓ ଚୀନ୍ ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା

ଆତଙ୍କବାଦ, ପୁଞ୍ଜିନିବେଶ ଓ ସୀମା ସୁରକ୍ଷା ଉପରେ ଫୋକସ୍; ବୈଠକ ପରେ ଜାରି ହେବ ମିଳିତ ବିବୃତି

183

କନକ ବ୍ୟୁରୋ: ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ଭାରତ ଗସ୍ତର ଆଜି ଦ୍ୱିତୀୟ ଦିନ । ଏହି ଅବସରରେ ମହାବଳୀପୁରମ ହୋଟେଲ୍ କୋବରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଜିନପିଙ୍ଗଙ୍କ ମଧ୍ୟରେ ହୋଇଛି ଦ୍ୱିପାକ୍ଷିକ ଆଲୋଚନା । ୨ଟି ପର୍ଯ୍ୟାୟରେ ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ହୋଇଛି ବୈଠକ । ଗତକାଲି ପ୍ରଥମ ପର୍ଯ୍ୟାୟ ବୈଠକ ଶେଷ ହୋଇଛି । ଆଜି ମହାବଳୀପୁରମର ହୋଟେଲରେ ବିନା କୌଣସି ପ୍ରତିନିଧିମଣ୍ଡଳରେ ମୋଦି ଓ ଜିନପିଙ୍ଗ ମଧ୍ୟରେ ଆଲୋଚନା ହୋଇଛି । ପ୍ରତିନିଧିମଣ୍ଡଳି ନଥିବାରୁ ଏହାକୁ ଅନୌପଚାରିକ ବୋଲି କୁହାଯାଉଛି । ଚେନ୍ନାଇର ଆଇଟିସି ଗ୍ରାଣ୍ଡ୍ ଚୋଲା ହୋଟେଲରୁ ସ୍ୱତନ୍ତ୍ର ଗାଡିରେ ମହାବଳୀପୁରମର ହୋଟେଲ କୋବଲମ୍ କୁ ଆସିଥିଲେ ଏକାଠି ଆସିଥିଲେ ଦୁଇ ରାଷ୍ଟ୍ରନେତା ।

ଏହିଠାରେ ପ୍ରାୟ ୪୦ ମିନିଟ ଧରି ରହିବ ଦୁଇ ନେତାଙ୍କ ଭେଟଘାଟ । ଏହି ସମ୍ମିଳନୀ ସହ ଭାରତ-ଚୀନ୍ ସମ୍ପର୍କରେ ନୂଆ ଅଧ୍ୟାୟ ଯୋଡି ହୋଇଛି ବୋଲି କୁହାଯାଉଛି । କାରଣ ଦୁଇ ନେତାଙ୍କ ଆଲୋଚନାରେ ମୁଖ୍ୟ ପ୍ରସଙ୍ଗ ରହିଥିଲା ସୀମା ସୁରକ୍ଷା, ଆତଙ୍କବାଦ ଓ ପୁଞ୍ଜିନିବେଶ । ଗତକାଲି ପ୍ରଧାନମନ୍ତ୍ରୀ ମୋଦି ତାମିଲନାଡୁର ପାରମ୍ପରିକ ଧୋତି, ହାଫ ସାର୍ଟ ଏବଂ କାନ୍ଧରେ ଅଙ୍ଗବସ୍ତ୍ର ପିନ୍ଧି, ଜିନପିଙ୍ଗଙ୍କୁ ସ୍ୱାଗତ କରିଥିଲେ । ଆଜି ଦୁଇ ରାଷ୍ଟ୍ରନେତା ପରଷ୍ପରକୁ ଦ୍ୱିତୀୟ ଥର ପାଇଁ ସାକ୍ଷାତ କରିଛନ୍ତି । ଦୁଇ ନେତାଙ୍କ ଆଲୋଚନା ପରେ ଦିନ ୧୧ଟା ୪୦ମିନିଟରେ ଜିନପିଙ୍ଗଙ୍କ ଉଦ୍ଦେଶ୍ୟରେ ମଧ୍ୟାହ୍ନଭୋଜନ ଦେବେ ମୋଦି । ଏହି ମଧ୍ୟାହ୍ନଭୋଜନ ପରେ ଭାରତ ଗସ୍ତ ଶେଷ କରି କାଠମାଣ୍ଡୁ ଗସ୍ତ କରିବେ ସି ଜିନପିଙ୍ଗ୍ ।