ସିଡନୀରେ ଭାରତୀୟଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଯୁବପ୍ରତିଭାଙ୍କୁ ନେଇ କହିଲେ ଏଭଳି କଥା

122

କନକ ବ୍ୟୁରୋ : ସିଡନୀରେ ୨୦ ହଜାର ପ୍ରବାସୀ ଭାରତୀୟଙ୍କୁ ଅଲମ୍ପିକ ପାର୍କରେ ସମ୍ବୋଧିତ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପୂର୍ବରୁ ସେଠାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଥିଲେ କି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସଂପର୍କ ବିଶ୍ୱାସ ଓ ପ୍ରତି ସମ୍ମାନ ଉପରେ ଅଧାରିତ । ଏହାସହ ଜନସମାଗମକୁ ଦେଖି ପ୍ରଧାନମନ୍ତ୍ରୀ ଏହାକୁ ଏକ ଛୋଟ ଭାରତ ବୋଲି କହିଛନ୍ତି । ସେପଟେ ଭାରତ ଏବେ ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ଭାବେ ପରିଗଣିତ ହୋଇଥିବା ବେଳେ ଏହା ମଧ୍ୟରୁ ସର୍ବାଧିକ ଯୁବକ ଥିବା କଥା ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିଭଳି ଭାରତର ଯୁବକମାନେ ଏବେ ପ୍ରତିଭାର ଶିଳ୍ପ ଭାବେ ଉଭା ହୋଇଥିବା କଥା ପ୍ରଧାନମନ୍ତ୍ରୀ କହିବା ସହ ଭାରତୀୟ ଯୁବକମାନେ ସେମାନଙ୍କ ପ୍ରତିଭାକୁ ଏବେ ସାରା ବିଶ୍ୱରେ ପ୍ରମାଣିତ କରିଛନ୍ତି ।

ସେହିଭଳି ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆର ବ୍ରିସବେନରେ ଏକ ନୂଆ ବାଣିଜ୍ୟ ଦୂତାବାସ ଖୋଲିବା ନେଇ ମୋଦୀ ଘୋଷଣା କରିଛନ୍ତି । ଅନ୍ୟପଟେ ସଂକଟ ସମୟରେ ଭାରତ ପ୍ରଥମେ ଅନ୍ୟଦେଶମାନଙ୍କୁ ସହାୟତାର ହାତ ବଢାଉଥିବା କଥା ଦାବି କରିଛନ୍ତି । ମୋଦୀ କହିଛନ୍ତି କି ବିଶ୍ୱର କୌଣସି ସ୍ଥାନରେ ସଂକଟ ଦେଖାଦେଲେ ଭାରତ ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ପ୍ରଥମେ ହାତ ବଢାଉଛି । ତୁର୍କୀ ଭୂମିକମ୍ପ କଥା ଉଦାହରଣ ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହାସହ ସାରା ବିଶ୍ୱକୁ ଏକଜୁଟ କରିବା ଉପରେ ଭାରତ କାମ କରୁଛି ଓ ପୁଣିଥରେ ସବକା ସାଥ୍, ସବକା ବିକାଶ ଓ ସବକା ବିଶ୍ୱାସର ନାରା ସିଡନୀରେ ପ୍ରଧାନମନ୍ତ୍ରୀ ଦେଇଛନ୍ତି ।

ଗଣତନ୍ତ୍ର ଉପରେ ବି ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ମତରେ ଭାରତ ହେଉଛି ଗଣତନ୍ତ୍ରର ଜନନୀ । ଆମେ ନିଜର ଦେଶ ସହ ସାରା ବିଶ୍ୱକୁ ଗୋଟିଏ ପରିବାର ବୋଲି ଭାବୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିଭଳି ବିଶ୍ୱରେ ଭାରତ ଏବେ ତୀବ୍ର ଗତିରେ ବିକଶିତ ହେଉଥିବା ଏକ ରାଷ୍ଟ୍ର ବୋଲି ପ୍ରଧାନମନ୍ତ୍ରୀ ମତ ରଖିଛନ୍ତି । ଭାରତର ସାମର୍ଥ୍ୟ ଓ ସଂସାଧନର କମ୍ ନଥିବା କଥା ସେ କହିଛନ୍ତି ।

ସିଡନୀରେ ବି ପ୍ରଧାନମନ୍ତ୍ରୀ ଜନଧନ ବ୍ୟାଙ୍କ ଆକାଉଣ୍ଟକୁ ନେଇ ମତ ଦେଇଛନ୍ତି । ସେ କହିଛନ୍ତି କି, ଗତ ୯ବର୍ଷ ମଧ୍ୟରେ ୫୦ କୋଟି ଭାରତୀୟ ଜନଧନ ଯୋଜନା ମାଧ୍ୟମରେ ବ୍ୟାଙ୍କରେ ଖାତା ଖୋଲିବାର ସୁଯୋଗ ପାଇଛନ୍ତି । ଏହା ଫଳରେ ସରକାରୀ ଯୋଜନାର ବାଟମାରଣା ହେବା କମ୍ ହୋଇଥିବା କଥା ସେ କହିଛନ୍ତି ।

ସେହିଭଳି ଅଷ୍ଟ୍ରେଲିଆର ପରିଚିତ କ୍ରିକେଟ ଖେଳାଳୀ ସେନ୍ ୱାର୍ନଙ୍କ ମୃତ୍ରୁ୍ୟକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି କି, ଗତବର୍ଷ ଯେତେବେଳେ ସେନ୍ ୱାର୍ନଙ୍କର ମୃତ୍ୟୁ ହୋଇଥିଲା, ଖବର ପାଇବା ପରେ ଭାରତରେ ଶୋକ ପାଳନ ହୋଇଥିଲା । ଆଉ ଭାରତୀୟମାନେ ନିଜର କୌଣସି ବ୍ୟକ୍ତିଙ୍କୁ ହରାଇବା ଭଳି ଅନୁଭବ କରିଥିଲେ ।