ବର୍ଷା ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ : ସମସ୍ତ ଗାଁ ମୁଖିଆଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

91

କନକ ବ୍ୟୁରୋ : ଚଳିତ ଗ୍ରୀଷ୍ମ ଋତୁରେ ଉତ୍ତର, ଉତ୍ତର ପଶ୍ଚିମ ଏବଂ ଉତ୍ତର ମଧ୍ୟ ଭାରତରେ ଜଳସଙ୍କଟ ଜଟିଳ ରୂପ ନେଇଛି । ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶର ଅଧିକାଂଶ ଜିଲ୍ଲାରେ ଏବେ ଉତ୍କଟ ମରୁଡ଼ି ସମସ୍ୟା ଯୋଗୁଁ ହାହାକାର ସ୍ଥିତି ଉପୁଜିଛି । ଶହ ଶହ ଗ୍ରାମରେ ପାନୀୟ ଜଳ ସଙ୍କଟ ଲୋକଙ୍କୁ ହନ୍ତସନ୍ତ କରୁଛି । ଜଳାଭାବ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ‌ହେଉଛନ୍ତି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଷାଜଳ ସଂଗ୍ରହ ଉପରେ ଗୁରୁତ୍ବ ଦେଇଛନ୍ତି ।

ଗ୍ରାମୀଣ ଭାରତରେ ସବୁ ଗାଁ ମୁଖିଆମାନଙ୍କ ପାଖକୁ ମୋଦି ଚିଠି ଲେଖିଛନ୍ତି । ଆଗାମୀ ବର୍ଷା ଋତୁରେ ସବୁ ଗାଁ ମୁଖିଆମାନେ ବର୍ଷା ଜଳ ସଂରକ୍ଷଣ ଉପରେ ଗୁରୁତ୍ବ ଦେବାପାଇଁ ଅନୁରୋଧ କରି ମୋଦୀ ଏହି ଚିଠି ଲେଖିଛନ୍ତି । ଚିଠିରେ ପ୍ରଧାନମନ୍ତ୍ରୀ ମୋଦି ସ୍ବାକ୍ଷର କରିଛନ୍ତି ଏବଂ ଏହି ଚିଠିକୁ ଜିଲ୍ଲାପାଳମାନେ ନିଜେ ଗାଁ ମୁଖିଆଙ୍କୁ ପ୍ରଦାନ କରୁଛନ୍ତି । ଅନେକ ଗ୍ରାମରେ ମୋଦୀଙ୍କର ଏହି ଚିଠି ଏବେ ଚର୍ଚ୍ଚାର ବିଷୟ ହୋଇଛି । ପୂର୍ବ ଉତ୍ତରପ୍ରଦେଶର ସୋନଭଦ୍ରାରେ ମୋଦୀଙ୍କ ଚିଠି ୬୩୭ ଗାଁ ମୁଖିଆଙ୍କ ନିକଟରେ ପହଞ୍ଚିଛି ।

ସମସ୍ତ ଗାଁ ମୁଖିଆ ବର୍ଷାଜଳ ସଂଗ୍ରହ କରିବାପାଇଁ ଲୋକମାନଙ୍କ ମନରେ ଆଗ୍ରହ ସୃଷ୍ଟି କରିବା ଉଚିତ୍‌ ବୋଲି ମୋଦୀ କହିଛନ୍ତି । ଏନେଇ ଗାଁ ମୁଖିଆମ‌ାନେ ଏକ ଗ୍ରାମସଭା ବୈଠକ କରିବେ । ‌ବୈଠକରେ ଗ୍ରାମର ସମସ୍ତ ସଦସ୍ୟ ରହିବେ ଏବଂ ବର୍ଷାଜଳ କିଭଳି ସଂଗ୍ରହ କରାଯାଇପାରିବ ସେନେଇ ଏହି ବୈଠକରେ ଆଲୋଚନା ହେବା ଉଚିତ୍‌ ବୋଲି ମୋଦିଙ୍କ ଚିଠିରେ ଦର୍ଶାଯାଇଛି । ଚେକ୍‌ ଡ୍ୟାମ୍‌ ଏବଂ ପୋଖରୀ ଖୋଳି ବର୍ଷାଜଳ ସଂରକ୍ଷଣ ପାଇଁ ମୋଦୀ ପରାମର୍ଶ ଦେଇଛନ୍ତି ।

ଉତ୍ତରପ୍ରଦେଶର ଆମରୋହା ଜିଲ୍ଲାକୁ ବର୍ଷା ଜଳ ସଂରକ୍ଷଣ କ୍ଷେତ୍ରରେ ଏକ ଆଦର୍ଶ ଭାବେ ପରିଣତ କରିବାକୁ ପ୍ରୟାସ ଚାଲିଛି । ଜିଲ୍ଲାପାଳ ଉମେଶ ମିଶ୍ର କହିଛନ୍ତି, ମୋଦୀଙ୍କ ଚିଠି ୬୦୧ ଗାଁ ମୁଖିଆମାନଙ୍କୁ ଦିଆଯାଇଛି । ୭୭୦ ପୋଖରୀ ଖୋଳାଯିବା ଯୋଜନା ହୋଇସାରିଛି ଏବଂ ଏଥି ମଧ୍ୟରୁ ୫୦୦ ପୋଖରି ଖୋଳା କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।