ଆକାଶର ବାହୁବଳୀକୁ ଭବ୍ୟ ସ୍ୱାଗତ କଲା ଭାରତ । ସଂସ୍କୃତରେ ଶ୍ଲୋକ ଲେଖି ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ । ରାଜନାଥ କହିଲେ ଭାରତରେ ଆରମ୍ଭ ହେଲା ନୂଆ ଏକ ଯୁଗ…

795

କନକ ବ୍ୟୁରୋ: ଭାରତରେ ପହଁଚିଲା ବାୟୁସେନାର ବାହୁବଳୀ । ଫ୍ରାନ୍ସରୁ ଆସୁଥିବା ଲଢ଼ୁଆ ରାଫେଲ ଯୁଦ୍ଧ ବିମାନ ଭାରତରେ ପହଚିଂଛି । ଅମ୍ବାଲା ଏୟାରବେସରେ ଅବତରଣ କରିଛି ୫ ରାଫେଲ ବିମାନ । ୨ ସୁଖୋଇ ବିମାନ ରାଫେଲକୁ ଏସକର୍ଟ କରି ଆଣିଛନ୍ତି । ଅମ୍ବାଲା ଏୟାରବେସର ଆଖପାଖ ଅଂଚଳରେ ୧୪୪ ଧାରା ଜାରି କରାଯିବା ସହ ୩ କିଲୋମିଟର ପର୍ଯ୍ୟନ୍ତ ଅଂଚଳକୁ ନୋ ଫ୍ଲାଇଙ୍ଗ୍ ଜୋନ ଘୋଷଣା କରାଯାଇଛି । ଘଂଟା ପ୍ରତି ସର୍ବାଧିକ ଗତି ୨ ହଜାର ୧୩୦ କିଲୋମିଟର ଉଡିବାର କ୍ଷମତା ରଖିଛି ଏହି ଯୁଦ୍ଧ ବିମାନ ।

ତେବେ ରାଫେଲ ନେଇ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଟୁଇଟ କରିଛନ୍ତି । ଭାରତ ପାଇଁ ଆଜି ବଡ ଦିନ ହୋଇଥିବାରୁ ମୋଦି ନିଆରା ଢଙ୍ଗରେ ୫ଟି ରାଫେଲକୁ ସ୍ୱାଗତ କରିଛନ୍ତି । ୫ଟି ରାଫେଲ ପାଇଁ ସଂସ୍କୃତରେ ୫ଟି ଶ୍ଲୋକ ଲେଖି ରାଷ୍ଟ୍ର ସୁରକ୍ଷାଠୁ ଆଉ କିଛି ପୂଣ୍ୟ ନାହିଁ ବୋଲି ମୋଦି କହିଛନ୍ତି ।

ସେହିପରି ଫ୍ରାନ୍ସରୁ ରାଫେଲ୍ ଯୁଦ୍ଧ ବିମାନ ଭାରତରେ ପହଁଚିବା ନେଇ ଟୁଇଟ୍ କରି ପ୍ରତିକ୍ରିୟା ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରାଜନାଥ କହିଛନ୍ତି ଭାରତରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ଭାରତୀୟ ବାୟୁସେନାରେ ଏହି ରାଫେଲ୍ ବୈପ୍ଳବିକ ପରିବର୍ତନ ଆଣିପାରିବ । ସାମରିକ ଇତିହାସରେ ଯୋଡିବ ନୂଆ ଫର୍ଦ୍ଦ । ଏହାସହିତ ଫ୍ରାନ୍ସରୁ ଆସିଥିବା ରାଫେଲ୍ ସଫଳତାର ସହିତ ଅମ୍ୱାଲା ଏୟାରବେସରେ ପହଁଚି ସାରିଥିବା ନେଇ ଖୁସି ଜାହିର କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।