ଗୃହରେ ପ୍ରଶଂସା ପାଳି: କାଲି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ ପ୍ରତାପ ଷଡ଼ଙ୍ଗୀ, ଆଜି ପ୍ରତାପଙ୍କ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

726

କନକ ବ୍ୟୁରୋ: ସଂସଦରେ ଦୁଇ ଦିନ ଧରି ଚାଲିଛି ପ୍ରଶଂସା ପାଳି । ଦୁଇ ଦିନ ହେବ ଦୁହେଁ ଦୁହିଁଙ୍କର ପ୍ରଶଂସା କରିବାରେ ଲାଗିପଡିଛନ୍ତି । ଗତକାଲି ପ୍ରତାପ ଷଡଙ୍ଗୀ ଗୃହରେ ଧନ୍ୟବାଦ ଭାଷଣ ରଖିଲା ବେଳେ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଭାଷଣ ଆରମ୍ଭରୁ ମୋଦିଙ୍କ ଗୁଣ ଗାନ କରିଥିଲେ । ତେବେ ଆଜି ପ୍ରଧାନମନ୍ତ୍ରୀ ପ୍ରତାପଙ୍କ ପ୍ରଶଂସା କରିଛନ୍ତି । ଲୋକସଭା ନିର୍ବାଚନ ପରେ ଆଜି ପ୍ରଥମ ଥର ପାଇଁ ସଂସଦରେ ଭାଷଣ ଦେଇଥିଲେ ମୋଦି । ଆଉ ଭାଷଣରେ ଗତକାଲିର କଥା ଉଠାଇ ପ୍ରତାପଙ୍କ ଉପସ୍ଥାପନା ଶୈଳୀକୁ ପ୍ରଶଂସା କରିଛନ୍ତି ମୋଦି ।

ପ୍ରତାପଙ୍କୁ ପ୍ରଶଂସା କରିବାକୁ ଯାଇ ମୋଦି କହିଛନ୍ତି କି; ପ୍ରଥମ ଥର ସଂସଦ ଆସିଥିବା ନୀଳଗିରର ପ୍ରତାପ ଷଡଙ୍ଗୀ ଗତକାଲି ଯେଉଁଭଳି ବିଭିନ୍ନ ବିଷୟକୁ ବର୍ଣ୍ଣନା କଲେ । ନିଜ ଶୈଳୀରେ ଯେଉଁଭଳି ଉପସ୍ଥାପନା କଲେ ମୁଁ ଭାବୁଛି ୟାପର ଠାରୁ ମୁଁ କିଛି ନକହିଲେ ବି ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚିବ । ତେବେ ମୋଦି ସଂସଦରେ ପ୍ରତାପଙ୍କ ପ୍ରଶଂସା କରି ନିଜ ପାଳି ପୂରା କରିଥିବା ଚର୍ଚ୍ଚା ହେଉଛି ।

ସଂସଦରେ ନିଜ ଭାଷଣ ରଖିଲା ବେଳେ ମୋଦି କଂଗ୍ରେସକୁ କଟାକ୍ଷ କରିଛନ୍ତି । ୭୦ ବର୍ଷର ବେମାରୀକୁ ୫ ବର୍ଷରେ ଠିକ କରିବା କନିଠ ଥିଲା ବୋଲି କହି କଂଗ୍ରେସକୁ କଡା ଭତ୍ସନା କରିଛନ୍ତି । ତେବେ ଯାହାଙ୍କର କେହି ନାହାନ୍ତି ତାଙ୍କର ସରକାର ଅଛନ୍ତି । ଏକ ସୁରକ୍ଷିତ, ଶକ୍ତ ସରକାର ଗଢିବା ଆମର ଲକ୍ଷ୍ୟ ବୋଲି ମୋଦି କହିଛନ୍ତି ।

ତେବେ ଗତକାଲି ପ୍ରତାପ ଷଡଙ୍ଗୀ ବିଭିନ୍ନ ପ୍ରସଙ୍ଗରେ ମୋଦିଙ୍କ ବାଃ ବାଃ କରିଥିଲେ । ଲୋକଙ୍କ ପାଇଁ ନିଜକୁ ସମର୍ପି ଦେଇଥିବା ପ୍ରଧାନମନ୍ତ୍ରୀଙ୍କୁ ବିରୋଧୀ ପ୍ରଶଂସା କରନ୍ତୁ ବୋଲି କହି ବିରୋଧୀଙ୍କୁ ପ୍ରଶଂସା ଫର୍ମୁଲା ଶିଖାଇଥିଲେ ପ୍ରତାପ । ଏପରିକି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବାକୁଯାଇ ପ୍ରତାପ ନରେନ୍ଦ୍ର ମୋଦିଙ୍କୁ ବିବେକାନନ୍ଦଙ୍କ ସହ ତୁଳନା କରିବାକୁ ପଛାଇ ନଥିଲେ । ତେବେ କାଲି ପ୍ରତାପ କରିଥିବା ପ୍ରଶଂସାକୁ ଆଜି ତାଙ୍କୁ ଫେରାଇ ଦେଇଛନ୍ତି ମୋଦି ।