ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ । ଚାପମୁକ୍ତ ରହିବାକୁ ପରୀକ୍ଷାର୍ଥୀଙ୍କୁ ଦେଲେ ଟିପ୍ସ

162

କନକ ବ୍ୟୁରୋ: ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀଙ୍କ ମନୋବଳ ବଢାଇଛନ୍ତି ପ୍ରଧାନମନ୍ତ୍ରୀ । ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ପଞ୍ଚମ ସଂସ୍କରଣରେ ଦେଶର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି ନରେନ୍ଦ୍ର ମୋଦି । ତାଲକୋଟରା ଷ୍ଟାଡିୟମରେ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସହ ସିଧା ସଳଖ ଆଲୋଚନା କରିଛନ୍ତି । ପରୀକ୍ଷା ପୂର୍ବରୁ ଚାପମୁକ୍ତ ରହିବାକୁ ଛାତ୍ରଛାତ୍ରୀଙ୍କୁ ସେ ଟିପ୍ସ ଦେଇଛନ୍ତି ।

       ପ୍ରଧାନମନ୍ତ୍ରୀଙ୍କ ଟିପ୍ସ

  • ପରୀକ୍ଷା ପୂର୍ବରୁ ନିଜକୁ ଚାପମୁକ୍ତ ରଖିବା ନିହାତି ଜରୁରୀ
  • ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ଜୀବନର ଏକ ଅଂଶ ବୋଲି ଭାବନ୍ତୁ
  • ପରୀକ୍ଷାକୁ ପର୍ବ ବୋଲି ଭାବିଲେ ପରୀକ୍ଷାର ମଜା ନେଇପାରିବା
  • ପ୍ରତିଯୋଗିତା ହିଁ ଆଗକୁ ବଢିବାକୁ ପ୍ରେରଣା ଯୋଗାଇଥାଏ
  • ଭଲ କରିବାର ଆତ୍ମବିଶ୍ୱାସ ରହିଲେ, ପରୀକ୍ଷା ଅଧିକ ସହଜ ହୋଇଯାଏ
  • ‘ଅନଲାଇନ୍’, ‘ଅଫଲାଇନ୍’ ବଦଳରେ କିଛି ସମୟ ‘ଇନରଲାଇନ୍’ ହୁଅନ୍ତୁ
  • ସୋସିଆଲ ମିଡିଆ ଓ ମୋବାଇଲ ଗେମ୍ ବ୍ୟବହାରର ବଦଭ୍ୟାସ ଛାଡନ୍ତୁ

ସାଙ୍ଗ ସାଥୀଙ୍କୁ ଅନୁକରଣ ନକରି ନିଜକୁ ଚିହ୍ନିବାକୁ, ନିଜ ଆତ୍ମଶକ୍ତିକୁ ଚିହ୍ନିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ପରୀକ୍ଷା ପାଇଁ ନପଢି ଜ୍ଞାନ ଆହରଣ ପାଇଁ ପାଠ ପଢିବାକୁ କହିଛନ୍ତି । କାର୍ଯ୍ୟକ୍ରମରେ ମୋଟ ୨୦ଜଣ ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ମୋଦି । ପରୀକ୍ଷାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ପାଇବା ପରେ ଛାତ୍ରଛାତ୍ରୀ ଉତ୍ସାହିତ ଅଛନ୍ତି ।

ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଶେଷରେ ୫ ଜଣ ଆନାଉନସର ଛାତ୍ରଙ୍କୁ ମଞ୍ଚକୁ ଡାକି ଧନ୍ୟବାଦ ଦେଇଥିଲେ ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନା ସଂକ୍ରମଣ କମିବା ପରେ ସ୍କୁଲ ଖୋଲିବା ଏକ ବଡ ଉପଲବ୍ଧି ବୋଲି କହିଥିଲେ ଧର୍ମେନ୍ଦ୍ର ।