ଜନ୍ମଦିନରେ ଦେଶବାସୀଙ୍କୁ ସ୍ୱତନ୍ତ୍ର ଉପହାର ଦେଲେ ପ୍ରଧାନମନ୍ତ୍ରୀ । ଭାରତକୁ ଆଣିଲେ ୮ ଟି ଚିତାବାଘ

70

କନକ ବ୍ୟୁରୋ : ୭୨ ବର୍ଷରେ ପାଦ ଥାପିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିପାଇଁ ମୋଦୀଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ନିଜର ଏହି ଖାସ ଦିନରେ ନାମିବ୍ୟାରୁ ଅଣାଯାଇଥିବା ୮ଟି ଚିତା ବାଘଙ୍କୁ ଦେଶବାସୀଙ୍କୁ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଚିତାକୁ ଛାଡିଛନ୍ତି ନିଜେ ପ୍ରଧାନମନ୍ତ୍ରୀ । କେବଳ ସେତିକି ନୁହେଁ ନିଜେ ହାତରେ କ୍ୟାମେରା ଧରି ଚିତାଙ୍କ ଫଟୋ ଉଠାଇଥିଲେ ମୋଦୀ । ଦୀର୍ଘ ୭୦ ବର୍ଷ ପରେ ଭାରତ ମାଟିରେ ଚିତା ପାଦ ରଖିଥିବାରୁ ମୋଦୀ ଏହାକୁ ଐତିହାସିକ ମୁହୂର୍ତ ଭାବେ ବର୍ଣ୍ଣନା କରିଛନ୍ତି । ସ୍ୱାଧିନତାର ଅମୃତକାଳରେ ଦେଶ ନୂତନ ଶକ୍ତି ସହ ଚିତା ପୁନଃରୁଦ୍ଧାରରେ ଲାଗିପଡିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ଆଜି ଜନ୍ମଦିନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ମଧ୍ୟପ୍ରଦେଶର କାରହାଲରେ ସ୍ୱୟଂ ସହାୟକ ସଂଘ ମହିଳାମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ମହିଳାଙ୍କୁ ଉଦବୋଧନ ଦେବା ବେଳେ ମୋଦୀ କହିଛନ୍ତି, ପ୍ରତି ଜନ୍ମଦିନରେ ମୁଁ ମୋ ମାଙ୍କ ନିକଟକୁ ଯାଇ ଆର୍ଶିବାଦ ନେଇଥାଏ, ହେଲେ ଏଥର କାର୍ଯ୍ୟକ୍ରମ ପାଇଁ ଯାଇପାରିନାହିଁ, ହେଲେ ମୋର ସୌଭାଗ୍ୟ ଏଠାରେ ଲକ୍ଷାଧିକ ମାଙ୍କ ଆର୍ଶିବାଦ ମିଳିଛି ।

ବିଶ୍ୱକର୍ମା ପୂଜା ଉପଲକ୍ଷେ ଆଇଆଇଟି ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଦକ୍ଷତା ବିକାଶ ସହ ଜଡିତ ବିଭିନ୍ନ ସଂସ୍ଥାର ଶିକ୍ଷାର୍ଥୀଙ୍କୁ ସମ୍ବୋଧନ କରିବା କରିଛନ୍ତି ମୋଦୀ ସେମାନଙ୍କ ଆଗାମୀ ଭବିଷତ୍ୟ ନେଇ ଉଜ୍ଜଳ କାମନା କରିବା ସହ ନିଜ କୌଶଳକୁ ଉପଯୁକ୍ତ ଭାବେ ବିନିଯୋଗ କରି ଆଗକୁ ବଢିବାକୁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ।

ସେପଟେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ସ୍ମରଣୀୟ କରିବାକୁ ବିଜେପିର ବଡ ଅଭିଯାନ । ମୋଦୀଙ୍କ ଜନ୍ମଦିନରେ କୋଭିଡ ୧୯ ଟୀକାକରଣରେ ରେକର୍ଡ କରିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ , ୨୧ ଦିନିଆ ସେବା ଅଭିଯାନ ଆରମ୍ଭ କରିଛି । ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଅକ୍ଟୋବର ୨ ତାରିଖ ମହାତ୍ମା ଗାନ୍ଧୀଙ୍କ ଜନଦିବସ ଯାଏ ଜାରି ରହିବ ।