ଆଫଗାନିସ୍ତାନ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା : ଆଫଗାନରେ ଥିବା ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଲେ ମୋଦୀ

ହିନ୍ଦୁ, ଶିଖ ସମେତ ସଂଖ୍ୟାଲଘୁ ସଂପ୍ରଦାୟ ଲୋକ ଚାହିଁଲେ ଭାରତ ଦେବ ଶରଣ

130

କନକ ବ୍ୟୁରୋ : ତାଲିବାନର କାବୁଲ ଦଖଲ ପରେ ଆଫଗାନିସ୍ତାନରେ ବଦଳୁଥିବା ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକ ବସିଛି । ଆଫଗାନରେ ଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ସୁନିଶ୍ଚିତ କରିବାକୁ ଏହି ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ମୋଦୀ ।

ସେହିପରି ଆଫଗାନିସ୍ତାନରେ ଥିବା ହିନ୍ଦୁ, ଶିଖ ଓ ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତି ଚାହିଁଲେ, ସେମାନଙ୍କୁ ଭାରତରେ ଶରଣ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଆଜିର ଏହି ଉଚ୍ଚସ୍ତରୀୟ ବୈଠକରେ ବରିଷ୍ଠ ଅଧିକାରୀଙ୍କ ସମେତ ସାମିଲ ହୋଇଥିଲେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବିଦେଶ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଏବଂ ଆଫଗାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ରୁଦ୍ରେନ୍ଦ୍ର ଟଣ୍ଡନ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହିଥିଲେ ।