ମୋଦିଙ୍କ ‘ମନ୍ କି ବାତ୍’ରେ ଲାଲକିଲ୍ଲାର ଲଜ୍ଜିତ ଘଟଣା । କହିଲେ, ଦେଶକୁ ଦୁଃଖିତ କରିଛି ତ୍ରିରଙ୍ଗାର ଅପମାନ ଘଟଣା ।

322

କନକ ବ୍ୟୁରୋ: ମୋଦିଙ୍କ ‘ମନ କି ବାତ୍’ରେ ଲାଲକିଲ୍ଲାର ଲଜ୍ଜିତ ଘଟଣା । ୭୩ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକାର ଅପମାନ ଘଟଣାକୁ ନେଇ ମନର କଥା କହିଛନ୍ତି । ମୋଦି କହିଛନ୍ତି କି, ଦେଶବାସୀଙ୍କ ମନରେ ଏହି ଘଟଣା ଗଭୀର ଆଘାତ ପହଁଚାଇଛି । ଏନେଇ ସେ ବହୁତ ମର୍ମାହତ ଏବଂ ଦୁଃଖିତ ଥିବା କହିଛନ୍ତି ।

ସେହିପରି ଭାରତୀୟ କ୍ରିକେଟ ଦଳକୁ ମଧ୍ୟ ଭୁରିଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଅଷ୍ଟ୍ରେଲିଆ ଗାବା ବିଜୟକୁ ନେଇ ଭାରତୀୟ ଯୁବ କ୍ରିକେଟ ଟିମକୁ ସାଧୁବାଦ ଜଣାଇଛନ୍ତି ମୋଦି । ସେ କହିଛନ୍ତି ଭାରତୀୟ ଦଳ କଠିନ ପରିଶ୍ରମ କରି ଶେଷରେ ଦଳଗତ ଭାବେ ଭଲ ପ୍ରଦର୍ଶନ କରିଛନ୍ତି । ଯାହା ଆଗାମୀ ଯୁବପୀଢ଼ିଙ୍କ ପାଇଁ ଏକ ଉଦାହରଣ ପାଲଟିବ । ଦେଶ ଏଭଳି ଗୌରବର ବିଜୟକୁ କେବେ ଭୁଲିପାରିବ ନାହିଁ ।

ମୋଦି ଆଉ ମଧ୍ୟ କହିଛନ୍ତି କି, କରୋନା ଭୂତାଣୁ ପ୍ରତିରୋଧ ହେଉ କି ପ୍ରତିଷେଧକ ଉଭୟ କ୍ଷେତ୍ରରେ ଭାରତ ଇତିହାସ ସୃଷ୍ଟି କରିଛି, ଭାରତରେ ସର୍ବବୃହତ୍ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି । ମାତ୍ର ୧୫ ଦିନରେ ୩୦ ଲକ୍ଷରୁ ଅଧିକ କରୋନା ଯୋଦ୍ଧାଙ୍କୁ ଟିକାଦାନ କରାଯାଇଛି। ବ୍ରିଟେନରେ ୩୬ ଦିନ ଏବଂ ଆମେରିକାରେ ୧୮ ଦିନ ସମୟ ଲାଗିଥିବା ବେଳେ ଭାରତରେ ଟିକାକରଣ ଅଭିଯାନ ଅଧିକ ବେଗରେ ଜାରି ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହାସହ ଦେଶର ଅନେକ ଅଜଣା ଲୋକ ଉଚ୍ଚ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ଯାହାଫଳରେ ସେମାନେ ଚଳିତ ବର୍ଷ ପଦ୍ମ ପୁରସ୍କାର ସମ୍ମାନିତ ହୋଇଛନ୍ତି ।