ଭାରତ-ଚୀନ ବିବାଦ ନେଇ ମୋଦି ସରକାରଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ବଡ ଅଭିଯୋଗ । କହିଲେ ‘ଚୀନକୁ ଭାରତର ଜମି ଦେଇଦେଲେ ପ୍ରଧାନମନ୍ତ୍ରୀ’

332

କନକ ବ୍ୟୁରୋ : ଭାରତ-ଚୀନ ମଧ୍ୟରେ ଲାଗିଥିବା ସୀମା ବିବାଦକୁ ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଗୁରୁବାର ରାଜ୍ୟସଭାରେ କହିଥିଲେ କି ପୈଙ୍ଗାଙ୍ଗ୍ କୁ ନେଇ ଭାରତ ଓ ଚୀନ ମଧ୍ୟରେ ବୁଝାମଣା ହୋଇଛି । ଫଳରେ ଉଭୟ ଦେଶର ସେନା ଏବେ ପଛକୁ ଫେରିବା ଆରମ୍ଭ କରିଛନ୍ତି । ରାଜନାଥଙ୍କ ବୟାନ ପରେ ଆଜି (ଶୁକ୍ରବାର) କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଜମିକୁ ଚୀନ ହାତକୁ ଟେକି ଦେଇଛନ୍ତି । ରାହୁଲ ଗାନ୍ଧୀ ଏହାର ଜବାବ୍ ପ୍ରଧାନମନ୍ତ୍ରୀଙ୍କୁ ମାଗିବା ସହ ଭାରତ ଭିତରେ ଚୀନ ନିଜର ସେନା ଠୁଳ କରିବା ନେଇ ରାଜ୍ୟସଭାରେ ପ୍ରତିରକ୍ଷାମନ୍ତ୍ରୀ ପଦେ ବି କହିନଥିବା ସେ ଅଭିଯୋଗ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ରାହୁଲ ଗାନ୍ଧୀ କହିଥିଲେ କି ଭାରତର ଜମିକୁ ପ୍ରଧାନମନ୍ତ୍ରୀ କାହିଁକି ଚୀନ ହାତକୁ ଟେକି ଦେଲେ ତାହାର ଜବାବ୍ ଉଭୟ ପ୍ରଧାନମନ୍ତ୍ରୀ ଓ ରକ୍ଷାମନ୍ତ୍ରୀ ଦିଅନ୍ତୁ । କାହିଁକି ଭାରତୀୟ ସେନାକୁ କୈଳାଶ ରେଞ୍ଜରୁ ପଛକୁ ଫେରିବାକୁ କୁହାଗଲା ? । ଆମର ଜମି ଫିଙ୍ଗର ୪ ପର୍ଯ୍ୟନ୍ତ ରହିଛି । ହେଲେ ଆମ ସେନା ଫିଙ୍ଗର ୩ ପର୍ଯ୍ୟନ୍ତ ଫେରିବାକୁ କାହିଁକି ନିର୍ଦ୍ଦେଶ ଦିଆଯାଇଛି । ଏହା ପ୍ରମାଣ କରୁଛି କି ଫିଙ୍ଗର-୩ ରୁ ଫିଙ୍ଗର -୪ ମଧ୍ୟରେ ଥିବା ଜମିକୁ ପ୍ରଧାନମନ୍ତ୍ରୀ ଚୀନ ହାତକୁ ଟେକି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାହୁଲ ଗାନ୍ଧୀ । ସେ ଆହୁରି କହିଛନ୍ତି କି ପ୍ରଧାନମନ୍ତ୍ରୀ ଭୟାଳୁ ଅଟନ୍ତି ତେଣୁ ସେ ଚୀନ ବିରୋଧରେ ଛିଡା ହେବାକୁ ସାହସ କରିପାରି ନାହାନ୍ତି । ଚୀନ ହାତକୁ ଜମି ଟେକିଦେଇ ପ୍ରଧାନମନ୍ତ୍ରୀ ଆମ ଯବାନଙ୍କ ବଳିଦାନକୁ ଉପହାସ କରିଛନ୍ତି ବୋଲି ସେ କହିଛନ୍ତି ।