ଆଜିଠୁ ଯୁକ୍ତଦୁଇ ପରୀକ୍ଷା : ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା; କୋଭିଡ୍ ଓ ଖରାକୁ ଦୃଷ୍ଟିରେ ରଖି ବନ୍ଦୋବସ୍ତ

161

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତଦୁଇ ପରୀକ୍ଷା । କରୋନା ପାଇଁ ଦୁଇ ବର୍ଷ ପରେ ଯୁକ୍ତଦୁଇ ଅଫଲାଇନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେହିପରି ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ପ୍ରଚଣ୍ଡ ଖରାକୁ ନଜରରେ ରଖି ପରିକ୍ଷାର୍ଥୀଙ୍କ ପାଇଁ ବନ୍ଦୋବସ୍ତ କରାଯିବ । ପରୀକ୍ଷା କେନ୍ଦ୍ରରେ ଥଣ୍ଡା ପାଣି ସହ ଓଆରଏସ ମହଜୁତ ରଖାଯିବ ।  ଚଳିତବର୍ଷ ୩ ଲକ୍ଷ ୨୧ ହଜାର ୫୦୮ ଜଣ ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷା ଦେବେ । ୧୧୩୩ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ପରୀକ୍ଷା ପରିଚାଳନା ହବ୍ ତଥା ନୋଡାଲ୍ ସେଣ୍ଟର ହୋଇଛି । ପରୀକ୍ଷାରେ ସ୍ବଚ୍ଛତା, କପି ରୋକିବା, ନକଲି ପ୍ରଶ୍ନପତ୍ର ଓ ଗୁଜବକାରୀଙ୍କ ଉପରେ କଡ଼ା ନଜର ରଖିବା ଉପରେ ଏଥର ଗୁରୁତ୍ବାରୋପ କରାଯାଇଛି ।

ଆଇନ ଶୃଙ୍ଖଳା ନିମନ୍ତେ ପ୍ରତି ସେକ୍ଟର ଅନୁଯାୟୀ ଆବଶ୍ୟକ ପୁଲିସ, ଗାଡ଼ି ଆଦି ମୁତୟନ ହୋଇଛି । ସୋସିଆଲ୍ ମିଡିଆ ମାଧ୍ୟମରେ ନକଲି ପ୍ରଶ୍ନପତ୍ର ଭାଇରାଲ କରୁଥିବା ବ୍ୟକ୍ତି, ପ୍ରଶ୍ନପତ୍ର ଓ ଉତ୍ତର ଖାତା ବିଷୟରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା, ଏଭଳି ବ୍ୟକ୍ତିଙ୍କୁ ଠାବ କରି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । କପି ରୋକିବା ଲାଗି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍‌ ସମେତ ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ନେବା ଉପରେ କଟକଣା ଲାଗିଛି ।

ପରୀକ୍ଷା ପରିଚାଳନା ଦାୟିତ୍ବରେ ରହିଥିବା ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀମାନେ ପରୀକ୍ଷା ଆରମ୍ଭ ପୂର୍ବରୁ କେନ୍ଦ୍ରର ଏକ ସ୍ବତନ୍ତ୍ର ସ୍ଥାନରେ ମୋବାଇଲ୍‌ ଦାଖଲ କରିବେ । ପରୀକ୍ଷା ଆରମ୍ଭ ହେବାର ଅଧଘଣ୍ଟା ପରେ କୌଣସି ବି ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ‌ ପ୍ରବେଶ ଲାଗି ଅନୁମତି ଦିଆଯିବ ନାହିଁ ଏବଂ ପ୍ରଥମ ଏକ ଘଣ୍ଟା ମଧ୍ୟରେ ପରୀକ୍ଷାର୍ଥୀ ଉତ୍ତର ଖାତା ଦାଖଲ କରିପାରିବେ ନାହିଁ । ହଲ୍‌, ପ୍ରଶ୍ନପତ୍ର ଖୋଲିବା, ପରୀକ୍ଷା ଚାଲିଥିବା ସମୟ ଓ ଉତ୍ତର ଖାତା ସିଲ୍‌ ପରି କାର୍ଯ୍ୟକ୍ରମ ସିସିଟିଭି ନଜରରେ ଅନୁଷ୍ଠିତ ହେବ। ପରୀକ୍ଷାର ସୁପରିଚାଳନା ପାଇଁ ପରିଷଦ ପକ୍ଷରୁ ସ୍କ୍ବାଡ୍‌ ଗଠିତ ହୋଇଛି ।