ରାଜ୍ୟରେ ପ୍ଲାଷ୍ଟିକ୍ ବ୍ୟାଗ୍ ଉପରେ ଲାଗିବ ଲଗାମ : ମୁଖ୍ୟମନ୍ତ୍ରୀ ନେଲେ ବଡ ନିଷ୍ପତ୍ତି, ସଂପୂର୍ଣ୍ଣ ନିଷିଦ୍ଧ ହେବ ପଲିଥିନ

190

କନକ ବ୍ୟୁରୋ : ରାଜ୍ୟରେ ପ୍ଲାଷ୍ଟିକ ବ୍ୟାଗ୍ ଉପରେ ଲାଗିବ ବ୍ୟାନ୍ । ଅକ୍ଟୋବର ୨, ଗାନ୍ଧି ଜୟନ୍ତୀରୁ ପ୍ଲାଷ୍ଟିକ ମୁକ୍ତ ଓଡିଶା ପାଇଁ ଅଭିଯାନ ଆରମ୍ଭ ହେବ । ଦୁଇ ବର୍ଷ ମଧ୍ୟରେ ସାରା ଓଡ଼ିଶାରେ ପ୍ଲାଷ୍ଟିକ ସଂପୂର୍ଣ୍ଣ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମ ମୁଖ୍ୟମନ୍ତ୍ରୀ ଆମ କଥା କାର୍ଯ୍ୟକ୍ରମ ଜରିଆରେ ପ୍ଲାଷ୍ଟିକର ଭୟାବହତା ଉପରେ ଆଜି ସତର୍କ କରାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ କାର୍ଯ୍ୟକ୍ରମ ଜରିଆରେ ପ୍ଲାଷ୍ଟିକର ଭୟାବହତା ଉପରେ ସତର୍କ କରାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ବର୍ଷ ମଧ୍ୟରେ ସାରା ଓଡ଼ିଶାରେ ପ୍ଲାଷ୍ଟିକ ସଂପୂର୍ଣ୍ଣ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି ନବୀନ । ଅକ୍ଟୋବର ୨ରୁ ଆରମ୍ଭ ହେବ ଏହି ଅଭିଯାନ । ପ୍ରଥମ ପର୍ଯ୍ୟାୟରେ ସମସ୍ତ ମହାନଗର ନିଗମ ଓ ପୁରୀରେ ବ୍ୟାନ କରାଯିବ । ପରେ ପୂରା ଓଡ଼ିଶାକୁ କରାଯିବ ପ୍ଲାଷ୍ଟିକ ମୁକ୍ତ । ପ୍ଲାଷ୍ଟିକ ଏବେ ଆମ ଦୈନନ୍ଦିନ ଜୀବନରେ ଅତି ଜରୁରୀ ହୋଇ ପଡିଛି । ଆମର ଅଭ୍ୟାସ ଏପରି ହୋଇଯାଇଛି ଯେ ସବୁ କାମରେ ଆବଶ୍ୟକ ହେଉଛି ପ୍ଲାଷ୍ଟିକ । ଯଦି ଜଣେ ପରିବା କିଣିବା ପାଇଁ ବଜାରକୁ ଆସୁଛି, ତେବେ ଫେରିବା ବେଳେ ପରିବା ସହ ନେଇଯାଉଛି ଛୋଟ ଛୋଟ ଅନେକ ପଲିଥିନ ବ୍ୟାଗ୍ । ଜୁଆଡେ ଚାହିଁବେ ସିଆଡେ ଦେଖିବେ ପ୍ଲାଷ୍ଟିକ ସାମଗ୍ରୀ ।

ପରିସଂଖାନ କହୁଛି, ଭାରତରେ ଜଣେ ଲୋକ ବର୍ଷକୁ ହାରାହାରି ପ୍ରାୟ ୧୨ କିଲୋ ପ୍ଲାଷ୍ଟିକ ବ୍ୟବହାର କରିଥାଏ । ଏହାର ୩୩ ପ୍ରତିଶତ ଅର୍ଥାତ ତିନି ଭାଗରୁ ଭାଗେ ହେଉଛି ପାଣି ବୋତଲ, ପଲିଥିନ ବ୍ୟାଗ, ଡିସପୋଜେବୁଲ ଗ୍ଲାସ, କପ୍ ଓ ଷ୍ଟ୍ର । କୁହାଯାଉଛି, ଏହି ପ୍ରକ୍ରିୟା ଜାରି ରହେ, ତେବେ ମାଟି ଦେଖିବାକୁ ମିଳିବନି, ଖାଲି ଥିବ ପ୍ଲାଷ୍ଟିକର ଆସ୍ତରଣ ।

କାହିଁକି ସଭ୍ୟତା ପାଇଁ ବଡ଼ ବିପଦ ହେଉଛି ପ୍ଲାଷ୍ଟିକ ।

– ଦେଶରେ ପ୍ରତିଦିନ ୨୫ ହଜାର ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ

– ଜୈବିକ ବସ୍ତୁ ଭଳି କ୍ଷୟ ହୁଏ ନାହିଁ ପ୍ଲାଷ୍ଟିକ

– ୨୦୦୦ ବର୍ଷ ପର୍ଯ୍ୟନ୍ତ ମଧ୍ୟ ରହିପାରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ

– ପ୍ଲାଷ୍ଟିକରୁ ନିର୍ଗତ କେମିକାଲ୍ ମଣିଷ ପାଇଁ ଘାତକ

– ସୃଷ୍ଟି କରିପାରେ ଫୁସଫୁସ ସଂକ୍ରମଣ ଓ କ୍ୟାନସର ଭଳି ମାରାତ୍ମକ ରୋଗ

– ଭୂତଳ ଜଳକୁ ଦୂଷିତ କରୁଛି ପ୍ଲାଷ୍ଟିକ

ପ୍ଲାଷ୍ଟିକ ସୃଷ୍ଟି କରୁଥିବା ବିପଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ରାଜ୍ୟରେ ପ୍ଲାଷ୍ଟିକ ବ୍ୟାଗ, ପଲିଥିନ ଓ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ସାମଗ୍ରୀକୁ ସଂପୂର୍ଣ୍ଣ ନିଷିଦ୍ଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସହରାଂଚଳରେ ନଗର ଉନ୍ନୟନ ବିଭାଗ ଓ ଗ୍ରାମାଂଚଳରେ ପଂଚାୟତିରାଜ ବିଭାଗ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବେ । ସମଗ୍ର ରାଜ୍ୟରେ ପ୍ଲାଷ୍ଟିକ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟକୁ ତଦାରଖ କରିବ ଜଙ୍ଗଲ ଓ ପରିବେଶ ବିଭାଗ ।