ପ୍ଲାଜମା ଦାନକଲେ କରୋନା ଯୋଦ୍ଧା । କରୋନା ମୁକାବିଲା କରୁ କରୁ ସଂକ୍ରମିତ ହୋଇଥିଲେ ଛତ୍ରପୁର ଏସଡ଼ିପିଓ, ସୁସ୍ଥ ହେବାପରେ ଦାନ କଲେ ପ୍ଲାଜମା ।

136

କନକ ବ୍ୟୁରୋ: ପ୍ଲାଜମା ଦାନ କଲେ କରୋନା ଯୋଦ୍ଧା । କରୋନାର ମୁକାବିଲା କରୁ କରୁ ନିଜେ ସଂକ୍ରମିତ ହେଲେ । ଏବଂ ସୁସ୍ଥ ହେବା ପରେ ପ୍ଲାଜମା ଦାନ କରିଛନ୍ତି ଛତ୍ରପୁର ଏସଡିପିଓ । କରୋନାରୁ ସୁସ୍ଥ ହେବା ପରେ ଏସଡିପିଓ ଗୌତମ କିଷନ ନିଜେ ପ୍ଲାଜମା ଦାନ କରିଛନ୍ତି । କଟକ ବଡ ମେଡିକାଲରେ ଏସଡିପିଓ ପ୍ଲାଜମା ଦେଇଥିବା ନେଇ ଗଂଜାମ ଏସପି ଟ୍ୱିଟ୍ କରି ସୂଚନା ଦେଇଛନ୍ତି । କରୋନା ଭୂତାଣୁ ସଂକ୍ରମିତଙ୍କୁ ଭଲ କରିବା ପାଇଁ ପ୍ଲାଜମା ଥେରାପି ଏକ ନୂଆ ବାଟ ଆଣିଛି । ରାଜ୍ୟରେ ପ୍ଲାଜମା ଥେରାପିରେ ରୋଗୀ ଭଲ ହୋଇ ଘରକୁ ଫେରୁଛନ୍ତି । ରୋଗୀଙ୍କୁ ପ୍ଲାଜମା ଦାନ କରିବା ପାଇଁ ସରକାର ନିବେଦନ କରୁଛନ୍ତି ।

ସେପଟେ ଗଂଜାମରେ କରୋନା ଭୂତାଣୁ ସଂକ୍ରମଣ ବଢୁଥିବା ବେଳେ କିଛି ଆଶ୍ୱସ୍ତିକର ଖବର ଆସିଛି । ମହାମାରୀ ଭିତରେ ନୂଆ ଆଶା ସଂଚାର କରିଛି ପ୍ଲାଜମା ଥେରାପି । ଗଂଜାମ ଟାଟା ହସ୍ପିଟାଲରେ ପ୍ଲାଜମା ଥେରାପି ଦ୍ୱାରା ଚିକିତ୍ସିତ ହୋଇଥିବା ୩ ଗୁରୁତର ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଟାଟା ହସ୍ପିଟାଲରେ ପ୍ରଥମ ଥର ପାଇଁ ପ୍ଲାଜମା ଥେରାପି ଦ୍ୱାରା ଏହି ସଂକ୍ରମିତମାନେ ସୁସ୍ଥ ହୋଇଛନ୍ତି । ଏନେଇ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ଏହାସହ କରୋନା ଭୂତାଣୁ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ଲୋକଙ୍କୁ ପ୍ଲାଜମା ଦାନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।