ବିବାହ ଉତ୍ସବକୁ ଯିବା ସମୟରେ କରିଥିଲେ ରିଲ୍ସ : ଫେରିବା ସମୟରେ ଦୁର୍ଘଟଣାରେ ଚାଲିଗଲା ଜୀବନ

979

କନକ ବ୍ୟୁରୋ : ବିବାହ ଉତ୍ସବରେ ସାମିଲ ପାଇଁ ଗଲା ବେଳେ ରିଲ୍ସ କରି ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ କରିଥିଲେ । ବିବାହ ଉତ୍ସବରୁ ଫେରିଲା ବେଳେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ । ପୁରୀ ଜିଲ୍ଲା ବୀରରାମଚନ୍ଦ୍ରପୁରର ସରପଞ୍ଚ ଦୀପା ବେହେରାଙ୍କ ଏଭଳି ଅକାଳ ବିୟୋଗକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । କିଏ ଜାଣିଥିଲା ହସ ହସ ମୁହଁରେ ଦୀପ କେଇ ଘଣ୍ଟା ଆଗରୁ ଛାଡିଥିବା ରିଲ୍ସ ତାଙ୍କ ଜୀବନର ଶେଷ ରିଲ୍ସ ଥିଲା ବୋଲି ।

ସୂଚନା ଅନୁସାରେ ଏକ ବିବାହ ଉତ୍ସବରୁ ବୁଲେଟରେ ପୁତୁରାଙ୍କ ସହ ଫେରିବା ସମୟରେ ନିମାପଡା କୋର୍ଟ ଛକରେ ଭାରସାମ୍ୟ ହରାଇ ଖସି ପଡିଥିଲେ । ସେହିସମୟରେ ପଛପଟୁ ଆସୁଥିବା ଟ୍ରକ ତାଙ୍କ ମୁଣ୍ଡ ଉପରେ ଚଢି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ପ୍ରାୟ ବର୍ଷକ ତଳେ ୫ଶହରୁ ଅଧିକ ଭୋଟରେ ବିଜୟୀ ହୋଇ ବୀରରାମଚନ୍ଦ୍ରପୁରର ସରପଞ୍ଚ ହୋଇଥିଲେ ଦୀପା ବେହେରା । ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଖବର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । କିଛି ବର୍ଷ ତଳେ ତାଙ୍କ ସ୍ୱାମୀଙ୍କର ମଧ୍ୟ ସରପଞ୍ଚ ଦାୟିତ୍ୱରେ ଥିବା ସମୟରେ ଦେହାନ୍ତ ହୋଇଥିଲା । ଆଉ ଏବେ ଦୀପାଙ୍କ ମୃତ୍ୟୁ ପରେ ତାଙ୍କର ଦୁଇ କୁନି ପୁଅ ବାପା ମାଆ ଛେଉଣ୍ଡ ହୋଇଯାଇଛନ୍ତି ।