କନକ ନ୍ୟୁଜ୍ ହାତରେ ପିପିଲି ପୀଡିତାଙ୍କ ରାୟର କୋର୍ଟ କପି ! ହତ୍ୟା କରାଯାଇଥିବା ସ୍ପଷ୍ଟ କଲେ କୋର୍ଟ ।

309

କନକ ବ୍ୟୁରୋ : ପିପିଲି ପୀଡିତାଙ୍କୁ ହତ୍ୟା କରାଯାଇଛି । ଏକଥା ଆମେ କହୁ ନାହୁଁ, କୋର୍ଟଙ୍କ ରାୟ ଏହା କହିଛି । କନକ ନ୍ୟୁଜ ହାତରେ ରହିଛି କୋର୍ଟ ରାୟର କପି । ଏଥିରେ ବିଚାରପତି ସ୍ପଷ୍ଟ ଭାବରେ ଲେଖିଛନ୍ତି, ପିପିଲି ପୀଡିତାଙ୍କୁ ହତ୍ୟା କରାଯାଇଛି । କିନ୍ତୁ ଅଭିଯୁକ୍ତଙ୍କ ବିରୋଧରେ ସେଭଳି କୌଣସି ପ୍ରମାଣ ମିଳିଲା ନାହିଁ । ତାଙ୍କ ଝିଅର ମୃତ୍ୟୁ ଘଟଣା ଯୋଗୁଁ ବାପାମାଆ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ।

ଉଭୟ ମାନସିକ ଓ ଆର୍ଥିକ ଭାବେ ସେମାନେ ପ୍ରଭାବିତ ହୋଇଛନ୍ତି । ସେମାନେ ନିଜ ଝିଅ ହତ୍ୟା ଅପରାଧର ପୀଡିତ ବୋଲି କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି । ସେମାନଙ୍କୁ କ୍ଷତିପୂରଣ ଆବଶ୍ୟକ । ରାଜ୍ୟ ଆଇନ ସେବା ପ୍ରାଧିକରଣର ଆଇନ ଅନୁସାରେ ପୀଡିତ ସହାୟତା ପାଣ୍ଠିରୁ ସେମାନଙ୍କୁ କ୍ଷତିପୂରଣ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜରିଆରେ ଏହାକୁ କାର୍ଯ୍ୟକାରୀ କରିବାକୁ କୋର୍ଟ କହିଛନ୍ତି ।