ପିପିଲି ପ୍ରଚାର ମୈଦାନକୁ ଆଜି ଓହ୍ଲାଇବେ ବିଜେଡି ସୁପ୍ରିମୋ : କରୋନା ସଂକ୍ରମଣ ଯୋଗୁଁ ଭର୍ଚୁଆଲ ରାଲି କରି ରୁଦ୍ର ମହାରଥୀଙ୍କ ପାଇଁ ମାଗିବେ ଭୋଟ୍

ସେପଟେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରିବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

73

କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । ତେବେ କରୋନା ସଂକ୍ରମଣକୁ ଆଖିରେ ରଖି ଆଜି ଭର୍ଚୁଆଲ ରାଲି କରି ପ୍ରଚାର କରିବେ । ଭର୍ଚୁଆଲ ରାଲି କରି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ଭୋଟ ମାଗିବେ ନବୀନ ପଟ୍ଟନାୟକ । ପିପିଲି ବ୍ଲକ ଓ ଏନଏସିରେ ବିଜେଡି ମୁଖିଆ ପ୍ରଚାର କରିବେ । ଭର୍ଚୁଆଲ ରାଲି କରି ୬ ଜିଲ୍ଲା ପରିଷଦ ଜୋନ ଓ ଏନଏସିରେ ଡିଜିଟାଲ କ୍ୟାମ୍ପେନିଙ୍ଗ ପାଇଁ ବ୍ୟବସ୍ଥା ହୋଇଛି । ଡ଼େଲାଙ୍ଗର ରେଂଚ, ବଡ଼ ଆଙ୍କୁଲା ଓ ସିଙ୍ଗ ବ୍ରହ୍ମପୁରରେ ଭର୍ଚୁଆଲ ରାଲି କରି ପ୍ରଚାର କରିବେ ନବୀନ । ପିପିଲିର ୨୫ ପଂଚାୟତ, ଡେଲାଙ୍ଗର ୨୧ ପଂଚାୟତ ଓ ପିପିଲି ଏନଏସିର ୧୬ଟି ୱାର୍ଡକୁ ମିଶାଇ ଏହି ଭର୍ଚୁଆଲ ସଭା ୬ଟି ସ୍ଥାନରେ ହେବ ।

ସେପଟେ ଆଜି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଇବାର କାର୍ଯ୍ୟକ୍ରମ ରହିଛି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରି ଭୋଟ ଦେବା ପାଇଁ ଭୋଟରଙ୍କୁ ଅନୁରୋଧ କରି ଅପରାଜିତା ଷଡଙ୍ଗୀ । ପିପିଲି ଅଂଚଳର ବିକାଶ ଓ ପରିବର୍ତନ ନାରା ଦେଇ ଲୋକଙ୍କ ପାଖକୁ ଯିବେ ଭୁବନେଶ୍ୱର ସାଂସଦ । ସେହିପରି ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପିପିଲି ଉପନିର୍ବାଚନ ପାଇଁ ପ୍ରଚାର କରିବେ ବୋଲି ସୂଚନା ମିଳିଛି । ସେହିପରି ରବିବାର ବିଜେପିର ଷ୍ଟାର କ୍ୟାମ୍ପେନର ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ସମ୍ବିତ ପାତ୍ର, ପିଙ୍କି ପ୍ରଧାନ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର କରିଛନ୍ତି ।